ଜୟପୁର: ଜୟପୁର ପୌରାଞ୍ଚଳରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନଭୋଜନ ଯୋଗାଣରେ ବାଦ ଦିଆଯିବାକୁ ନେଇ ୩୫ଟି ମହିଳା ସ୍ବୟଂ ସହାୟକ ଦଳ ବିରୋଧ କରିଛନ୍ତି। ଆଜି ସୋମବାର ସବୁ ଦଳର କର୍ମକର୍ତ୍ତା ମାନେ ଜୟପୁରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସି ସେମାନଙ୍କୁ ପୂର୍ବଭଳି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ସାମିଲ କରି ରଖାଯିବାକୁ ଅନୁରୋଧ କରିଥିଲେ। ଏମାନଙ୍କୁ ବାଦ୍ ଦେଇ ଏକ ଘରୋଇ ସଂସ୍ଥାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଏମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଜୟପୁର ପୌରାଞ୍ଚଳରେ ଥିବା ବହୁ ବିଦ୍ୟାଳୟରେ ଗତ ୨୦ବର୍ଷ ହେବ ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ମଧ୍ୟାହ୍ନ ଭୋଜନ ରୋଷଇ କରି ଦେଇ ଆସୁଛନ୍ତି। ତେବେ ଏହାବାଦେ ଏହି ବର୍ଷ ଏମାନଙ୍କୁ ପୁନଃ ଆବେଦନ କରିବାକୁ କୁହାଯାଇଥିଲା। ମିଶନଶକ୍ତି ଜରିଆରେ ସହରର ୩୫ଟି ମହିଳା ସ୍ବୟଂ ସହାୟିକା ଦଳ ଆବେଦନ କରିଥିଲେ। ତେବେ ହାଇଜେନିକ୍ କୁକିଂ ସେଣ୍ଟର ନାଁରେ ଏକ ସଂସ୍ଥାକୁ ଏହି କାମରେ ସଂପୃକ୍ତ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଛନ୍ତି।
୩୫ଟି ଦଳର ୩୫୦ଜଣ ମହିଳା ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଦ୍ ଦେଇ ଏକ ସଂସ୍ଥାକୁ ସଂପୃକ୍ତ କରିବା ପଛରେ କଣ ରହସ୍ୟ ରହିଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାରଙ୍କ ମିଶନଶକ୍ତି ଯୋଜନାରେ ଏମାନେ ମହିଳା ସ୍ବୟଂ ସହାୟକ ଦଳ ଗଠନ କରି ଆର୍ଥିକସ୍ତରରେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଥିବା ବେଳେ ଏଭଳି ପକ୍ଷ ଛେଦନ କରି ଏକ ଘରୋଇ ସଂସ୍ଥାକୁ ସାମିଲ କରି ମହିଳା ସ୍ବୟଂ ସହାୟକ ଦଳର ପ୍ରଗତିରେ ବାଧା ଦିଆଯାଉଛି ବୋଲି ଏମାନେ କହିଛନ୍ତି। ଏପରିକି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ଏହି ଦଳ ଗୁଡିକ ନାଁରେ କିଛି ଆପତ୍ତିଅଭିଯୋଗ ନଥିବା ବେଳେ ଏଭଳି ବାଦ୍ ଦେଇ ନୂଆ ସଂସ୍ଥାକୁ ସାମିଲ କରିବା କେତେ ଦୂର ଯୁକ୍ତିସଂଗତ ବୋଲି କର୍ମକର୍ତ୍ତା ମାନେ ପ୍ରଶ୍ନ କରିଛନ୍ତି। ପୁର୍ନବିଚାର କରି ତୁରନ୍ତ ସବୁ ଦଳକୁ ପୁର୍ବଭଳି ସାମିଲ କରାଯାଉ ବୋଲି ଏମାନେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ , ୫ଟି ସଚିବ ଓମିଶନଶକ୍ତି ସଂଯୋଜିକା ଆଦି ମହିଳା ସ୍ବୟଂ ସହାୟକ ଦଳ ଗୁଡିକର ଅଭିବୃଦ୍ଧି ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏହି ସ୍ଥିତିରେ କିଭଳି ପୂରଣ ହେବ ବୋଲି ଏମାନେ କହିଛନ୍ତି।