ଜୟପୁର: ଓଡ଼ିଶାର ସର୍ବାଧିକ ପଠିତ ଓ ଲୋକପ୍ରିୟ ଖବରକାଗଜ ‘ସମ୍ବାଦ’ରେ ଇଓଡବ୍ଲୁ ଚଢ଼ାଉକୁ ବିରୋଧ କରି ମଙ୍ଗଳବାର କୋରାପୁଟ ଜିଲ୍ଲା ଶାଖା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ‘ସମ୍ୱାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ଉ ସରକାରଙ୍କ ଆକ୍ରୋଶ ମନୋଭାବ ଜଳଜଳ ଦିଶୁଛି। ‘ସମ୍ୱାଦ’ ସଂପାଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ନାହାଁନ୍ତି ୫-ଟି ସଚିବଙ୍କୁ ପଚାରିଛନ୍ତି। କିନ୍ତୁ ସରକାର ଏଥିରେ ଉତ୍‌କ୍ଷିପ୍ତ ହୋଇ ଚଢ଼ଉ କରିବା ଏହା ପଛରେ ଥିବା ହୀନ ରାଜନୀତି ଦିଶୁଛି। ସରକାରଙ୍କ ଏହି ଚଢ଼ଉ ହାତରେ ନମାରି ଭାତରେ ମାରିବା କାର୍ଯ୍ୟକୁ ସିପିଆଇ କଡ଼ା ନିନ୍ଦା କରୁଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ସିପିଆଇ ସଂପାଦକ ଯୁଧିଷ୍ଠିର ରାଉଳ, ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ ମହାନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କୁ ମତ ଦେବାର ଅଧିକାର ରହିଛି। ଗୋଟିଏ ରାଜନୈତିକ ଦଳ ନିଜର ଲାଭ ପାଇଁ ଏକ ସରକାରୀ ସଂସ୍ଥାକୁ ବ୍ୟବହାର କରିବା ନିନ୍ଦନୀୟ। ଏହା କୌଣସି ଦଳୀୟ ସଂଗଠନ ନୁହେଁ। ତେଣୁ ସରକାରୀ କଳକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଗଣତନ୍ତ୍ରର ହତ୍ୟା କରିବା ସହିତ ସମାନ। ଏଭଳି କରି ରାଜ୍ୟରେ ବିଜେଡି ଏକଛତ୍ରବାଦ ଶାସନ ଚଳାଉଥିବା ସ୍ପଷ୍ଟ। ଗଣମାଧ୍ୟମର କଣ୍ଠରୋଧ କରି ଶାସକ ବିଜେଡ଼ି କଣ ସୂଚନା ଦେବାକୁ ଚାହୁଁଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏସବୁ ଚଢ଼ଉ ଆଦି ବନ୍ଦ ନ କଲେ ସିପିଆଇ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ଏହି ବିକ୍ଷୋଭରେ ସିପିଆଇର ସଂପାଦକ ଶ୍ରୀରାଉଳ, ଶ୍ରୀ ମହାନ୍ତିଙ୍କସହ ନନ୍ଦ ହରିଜନ, ଭୁବନ କମାର, ନକୁଳ କମାର, ଶଙ୍କର ମାଝୀ, ଏସସି ସାକୁର, ସୋମନାଥ ପାତ୍ର, ସନ୍ତୋଷ କୁମାର ସେଠୀ, ଗୋବର୍ଦ୍ଧନ ଖୋସ୍ଲା ପ୍ରମୁଖ ଭାଗ ନେଇଥିଲେ। ‘ସମ୍ବାଦ’ ଉପରେ ହୋଇଥିବା ଇଓଡବ୍ଲୁ ଚଢ଼ଉକୁ ନିନ୍ଦା କରି ମହା ଦଳିତ ପରି ସଂଘ ଓଡିଶାର ରାଜ୍ୟ ସଭାପତି ବୃନ୍ଦାବନ ଖରା ସିପିଆଇର ବିକ୍ଷୋଭରେ ଭାଗ ନେଇଥିଲେ। ସେ ଏହାକୁ ଦୃଢ଼ ନିନ୍ଦା କରୁଥିବା କହିଛନ୍ତି। ସାମ୍ବାଦିକଙ୍କ ସ୍ବାଧୀନତା ଉପରେ ଏହି ଆକ୍ରମଣ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ କୁଠାରଘାତ। ସାମ୍ବାଦିକ ତଥା ଗଣମାଧ୍ୟମ ଉପରେ ଆକ୍ରମଣ ଆମର ଗଣତନ୍ତ୍ରର ମୂଳଦୁଆକୁ କ୍ଷୁର୍ଣ୍ଣ କରିଥାଏ। ସୁସ୍ଥ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରତ୍ବପୁର୍ଣ୍ଣ। ପ୍ରଶ୍ନ ପଚାରିଲେ ଉତ୍ତର ଦିଆଯାଏ, ଏଭଳି କରି କଣ ସୂଚନା ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ପରିସଂଘର ରାଜ୍ୟସଭାପତି ଶ୍ରୀ ଖରା ଓ ଜିଲ୍ଲା ସଂପାଦକ ରାଜୀବ ଟାକ୍ରୀ।