ଖୋର୍ଦ୍ଧା: ନିଖିଳ ଓଡ଼ିଶା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କମର୍ଚାରୀ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ଶୁକ୍ରବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଶୁକ୍ରବାର ମଧ୍ୟାହ୍ନରେ ସଂଘର ୩୦ରୁ ଊର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ହାତରେ ବ୍ୟାନର ଆଦି ଧରି ନୂଆ ବସ୍ଷ୍ଟାଣ୍ଡ ଠାରୁ ରାଲିରେ ବାହରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ସୁରେନ୍ଦ୍ର ନାଥ ସ୍ବାଇଁ, ମଞ୍ଜୁରାଣୀ ରାଉତରାୟ, ଉକାକାନ୍ତ ମହାପାତ୍ର, ପ୍ରମୋଦ ମହାପାତ୍ର, ନଳିନୀକାନ୍ତ ସୁନ୍ଦରାୟ, ଶ୍ବେତାମଣୀ ଦେଈ, ସୁଧୀର କୁମାର ମହାରଣା, ଦୀନବନ୍ଧୁ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କ ପ୍ରତି କରିଥିବା ଅନ୍ୟାୟର ପ୍ରତିବାଦ କରିଥିଲେ। ସଂଘର ଅଭିଯୋଗ ଅନୁସାରେ, ସେମାନେ ୨୦୦୪ ଜାନୁଆରୀ ୧ ତାରିଖରେ ଅନୁଦାନ ପାଇଲେ। ତେବେ ଆର୍ଥିକ ଚୁକ୍ତି ଓଦୁରାବସ୍ଥା କାରଣରୁ ଶିକ୍ଷକଙ୍କୁ ୧୫୭୯ ଟଙ୍କା ଓ ପିଅନଙ୍କୁ ୭୫୦ଟଙ୍କା ଦରମା ପ୍ରତିମାସରେ ପ୍ରଦାନ କରିଥିଲେ।
୨୦୦୯ରେ ଆର୍ଥିକ କଟକଣା ଉଠିବା ପରେ ପୂର୍ଣ୍ଣ ବେତନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୨ରେ ୬ଷ୍ଠବେତନ କମିସନ ଆଧାରରେ ସର୍ବାଧିକ ୧୩୫୦୦ ଓ ସର୍ବନିମ୍ନ ୬ହଜାର ଟଙ୍କା ଦରମା ଧାର୍ଯ୍ୟ କରାଯାଇଥିଲା। ୨୦୧୮ରେ ଦରମା ବଢ଼ି ୩୬ହଜାର ଓ ପିଅନଙ୍କ ୧୮ହଜାର ଟଙ୍କା ହୋଇଥିଲା। କିନ୍ତୁ ଏହା ମଧ୍ୟରେ ୨୫୦୦ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବର୍ଦ୍ଧିତ ବେତନର କୌଣସି ସୁବିଧା ନପାଇ ଅବସର ନେଲେଣି। ସେମାନଙ୍କ ମଧ୍ୟରୁ ୨୫୦ଜଣଙ୍କ ମୃତ୍ୟୁ ହୋଇଛି। ଏପରିକି ତିନିଟି ଅବସରକାଳୀନ ସୁବିଧା, ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ଆଦି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଦୁଇବର୍ଷ ଧରି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ସରକାର ନଶୁଣନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ।