ଖୋର୍ଦ୍ଧା: ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଧାରଣା ଦିଆଯିବ। ସେହିଭଳି ଓଷ୍ଟା ବ୍ଲକ ଶାଖା ପକ୍ଷରୁ ଅଗଷ୍ଟ ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ। ଏନେଇ ଉଭୟ ସଂଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ପକ୍ଷରୁ ପଲ୍ଲା ଠାରେ ଥିବା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ବ୍ଳକ ସଭାପତି ଗଣେଶ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମହାପାତ୍ର, ଉପସଭାପତି ପ୍ରକାଶ କୁମର ପଲାଇ, ରମେଶ ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ବ୍ଲକ ଓଷ୍ଟାର ସମ୍ପାଦକ ଶରତ ଚନ୍ଦ୍ର ରାଉତଙ୍କ ସମେତ ସଙ୍ଗଠନର ଅନ୍ୟ କାର୍ଯ୍ୟକାରୀ ସଦସ୍ୟସଦସ୍ୟା ମାନେ ଉପସ୍ଥିତ ଥିଲେ। ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କୁ ପେନ୍ସନ ପ୍ରଦାନ, ଅନୁଦାନଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ୭ମ ବେତନ ପରିସରଭୁକ୍ତ କରିବା, ବିଦ୍ୟାଳୟରେ ଖାଲି ଥିବା ପଦବୀ ପୂରଣ, ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଯୋଗ୍ୟତା ଭିତ୍ତିରେ ଉଚ୍ଚବେତନ ପ୍ରଦାନ ଆଦି ଦାବି ନେଇ ସଙ୍ଗଠନ ପକ୍ଷରୁ ପୂର୍ବରୁ ଅନେକ ଥର ଧାରଣା ଓ ଦାବିପତ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ନିଆଯାଇ ନଥିବାରୁ ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ୧୬ ତାରିଖରେ ବିକ୍ଷୋଭ ସମାବେଶ କରିବାକୁ ନିଷ୍ପତ୍ତି ହୋଇଥିବା ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୫ ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀ ମାନେ ସେହିଦିନ ଗୀତା ଭବନ ଠାରୁ ଏକ ରାଲିରେ ବାହରି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବେ। ସେଠାରେ ଏୟୁପିଟିଏଫ୍ ସହ ଅନୁବନ୍ଧିତ ଅନ୍ୟ ସଙ୍ଗଠନର କର୍ମକର୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଏକ ସ୍ମାରକପତ୍ର ଦିଆଯିବ ବୋଲି ସଙ୍ଗଠନର ବ୍ଲକ ସଭାପତି ଯୁଧିଷ୍ଠିର ସାହୁ ଓ ସମ୍ପାଦକ ଅମୀୟ କୁମାର ପରିଡ଼ା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Andolona-nei-Khordha-Block-Osta-ra-prastuti-baithak.jpeg)