ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ କାଇପଦର ପଞ୍ଚାୟତର କାଇପଦର ଓ ସାଆନ୍ତ ଗାଁର ପୁରାତନ ଗୋଚର ଜମିକୁ ଶିଳ୍ପାନୁଷ୍ଠାନ ପାଇଁ ସଂରକ୍ଷିତ ରଖାଯାଇଛି। ଏହି ତଥ୍ୟ ଜାଣିବା ପରେ ଦୁଇ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏକ ସଭା କରାଯାଇ ଜିଲ୍ଲା ପ୍ରଶାସନର ଏହାର ତୁରନ୍ତ ବିଚାର କରି ଇଡ୍କୋ ହାତରୁ ଜମି ଫେରାଇ ଆଣିବାକୁ ଦାବି କରାଯାଇଛି। ଆଜି ଗୁରୁବାର ସ୍ଥାନୀୟ ହିଙ୍ଗୁଳାଇ ଠାକୁରାଣୀ ପୀଠରେ ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଗାଁର ଖାତା ନମ୍ବର ୧୨୪୭ର ପ୍ଲଟ ନମ୍ବର ୩୬୪ର ୧୩.୯୩୦ ଡେସିମଲ, ୩୬୬ର ୧୫.୯୭୦ ଡେସିମଲ, ପ୍ଲଟ ନମ୍ବର ୩୭୦ର ୪.୯୬୦ ଡେସିମଲ, ପ୍ଲଟ ନମ୍ବର ୩୭୬ର ୫୪୦ ଡେସିମଲ, ପ୍ଲଟ ନମ୍ବର ୧୯୨୫ର ୩୦.୩୪୦ ଡେସିମଲ, ଖାତା ନମ୍ବର ୧୨୫୭ ପ୍ଲଟ ନଂ୫ରୁ ୬୫.୬୯୦ ଡେସିମଲ ଜମି ଇଡ୍କୋ-ଶିଲ୍ପାଞ୍ଚଳ ପାଇଁ ଗଠିତ ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କକୁ ହସ୍ତାନ୍ତର ହୋଇଛି।
ଏହ ସମସ୍ତ ଗୋଚର ଜମିରେ ଅନେକ ପୁରାତନ ବୃକ୍ଷ, ହରିଜନ ସାହି, ଶ୍ମଶାନ, ସବରସାହି, ଖେଳପଡ଼ିଆ, ପୁଷ୍ପରଣୀ, ସରସ୍ବତୀ ଶିଶୁ ମନ୍ଦିର, ଅଙ୍ଗନବାଡ଼ି କେନ୍ଦ୍ର, ହନୁମାନ ଓ ହିଙ୍ଗୁଳାଇ ମନ୍ଦିର, କଲ୍ୟାଣ ମଣ୍ଡପ ଆଦି ରହିଛି। କେଉଁ ଭଳି ଓ କେଉଁ ପରିସ୍ଥିତିରେ ଏହି ଗୋଚର ଜମିଗୁଡ଼ିକ ଇଡ୍କୋକୁ ହସ୍ତାନ୍ତର ହେଲା ସେନେଇ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରଶାସନ ଆସନ୍ତା ୭ ଦିନ ମଧ୍ୟରେ ଏନେଇ ପଦକ୍ଷେପ ନ ନେଲେ ପରବର୍ତୀ ସମୟରେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ପାଇରାୟ, ଦୈତାରୀ ସାମନ୍ତରାୟ, ଗଗନ ସାମନ୍ତସିଂହ, ପ୍ରମୋଦ ଜେନା, କେଦାର ମାର୍ଥା, ସୁନୀଲ ଛୋଟରାୟ, ବିଶ୍ବନାଥ ଶ୍ରୀଚନ୍ଦନ, ଶୁଭ୍ରାଂଶୁ ଚମ୍ପତ୍ତିରାୟ, ତପନ ପାତ୍ର, ବିକ୍ରମ ପାତ୍ର, କୁନି ସାମନ୍ତରାୟ, ପ୍ରମିଳା ସ୍ବାଇଁ, ବିନୋଦିନୀ ମାର୍ଥା, ନବ ପାଇରାୟ, ଲିଙ୍ଗରାଜ ବିଶ୍ବାଳ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।