ଖୋର୍ଦ୍ଧା: ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ବାଣପୁର, ଜଟଣୀ, ବାଲୁଗାଁ, ଖୋର୍ଦ୍ଧା ପୌରାଂଚଳରେ କାମ କରୁଥିବା ଚୁକ୍ତିଭତ୍ତିକ ସଫେଇ କର୍ମଚାରୀମାନେ ଏକ ରାଲି ଆୟୋଜନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଶତାଧିକ ଚୁକ୍ତିଭତ୍ତିକ ସଫେଇ କର୍ମଚାରୀ ବ୍ୟାଙ୍କ ଛକ ନିକଟରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରିବା ପରେ ଓଡ଼ିଶା ଚୁକ୍ତି ଭତ୍ତିକ ଠିକା ସଫେଇ କର୍ମଚାରୀ ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ସରକାର ସମାନ କାମକୁ ସମାନ ଦରମା କହୁଥିବା ବେଳେ ସେମାନେ ଦୀର୍ଘଦିନ ଧରି ଠିକାରେ କାମ କରି ନିଜର ନ୍ୟାଯ୍ୟ ଅଧିକାରରୁ ବଂଚିତ ହୋଇଛନ୍ତି।
ଠିକାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯଦି ସେମାନଙ୍କ ଦାବିପୂରଣ ନହୁଏ ତେବେ ଆଗାମୀ ଦିନରେ ଆନେ୍ଦାଳନ କରିବେ ବୋଲି ସଂଘର ସଭାପତି ଶ୍ରୀ ନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମନୋଜ କୁମାର ନାୟକ, ସହସମ୍ପାଦକ ପ୍ରକାଶଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।