ଖୋର୍ଦ୍ଧା: ପୂର୍ବ ଯୋଜନା ଅନୁସାରେ ୬ ଦଫା ଦାବି ନେଇ ଆଜି ନବ ଗଠିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନେ ହାତରେ ବ୍ୟାନର ଆଦି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଥିଲେ। ଏନେଇ ସଂଘର ଅଧ୍ୟକ୍ଷ ଅଶୋକ ପଣ୍ଡା କହିଛନ୍ତି ଯେ, ଗତକାଲି ସଂଘ ପକ୍ଷରୁ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାପରେ ଜିଲ୍ଲାପାଳ ସେମାନଙ୍କୁ କୌଣସି ବିକ୍ଷୋଭ ରାଲି ନ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଳାପାଳଙ୍କ ପରାମର୍ଶ ଅନୁସାରେ, ସେମାନେ ଆଜିର ଦିବସ କାର୍ଯ୍ୟ ଶେଷ ହେବା ପରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ଜିଲ୍ଲାପାଳ ମଧ୍ୟ ସେମାନଙ୍କ ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉପଯୁକ୍ତ ମାଧ୍ୟମରେ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସଂଘର ଆବାହକ ସନ୍ତୋଷ କୁମାର ନିଶଙ୍କ କହିଛନ୍ତି ଯେ, ଜିଲ୍ଲାର ଓଡ଼ିଶା ଅମଲା ସଂଘ, ଟ୍ରେଜେରି ଅମଲା ସଂଘ, ଉପନିବନ୍ଧକ ଅମଲା ସଂଘ ଓ ଅନ୍ୟାନ୍ୟ କାର୍ଯ୍ୟାଳୟର ଅମଲା ସଂଘ ମିଳିତ ଭାବେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ଏଥିରେ ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ମିନିଷ୍ଟରିଆଲ୍ କର୍ମଚାରୀଙ୍କ ପ୍ରବେଶ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ସ୍ନାତକ ଓ କମ୍ପ୍ୟୁଟର ଜ୍ଞାନକୁ ଉନ୍ନତ କରିଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କ ଦରମା ମଧ୍ୟ ସେହି ଅନୁସାରେ ଉନ୍ନତ ହେବା କଥା ଯାହା କରାଯାଇନାହିଁ। ଏଣୁ ଜିଲ୍ଲାସ୍ତରୀୟ କନିଷ୍ଠ ସହକାରୀ, କନିଷ୍ଠ ରାଜସ୍ୱ ସହକାରୀଙ୍କ ପ୍ରବେଶ ଦରମା ସ୍ତର-୯କୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି। ଏନେଇ ରାଜ୍ୟ ସରକାର କୌଣସି ଭୃକ୍ଷେପ କରୁନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସମସ୍ତ ଅମଲା କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ।