ଖୋର୍ଦ୍ଧା: ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନ୍ସନ ପ୍ରଦାନ କାର୍ଯ୍ୟରେ ଅହେତୁକ ବିଳମ୍ବ, ଅନିୟମିତତା ହେଉଥିବା ଅଭିଯୋଗ କରି ଆଜି ଶନିବାର ଖୋର୍ଦ୍ଧା ଜିଲ୍ଲା ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ୧୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନ୍ସନ ସମସ୍ୟାର ସମାଧାନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଆଜି ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସମ୍ପାଦକ ଦେବରାଜ ପ୍ରଧାନ, ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି, ଶିକ୍ଷକ ନେତା ବଟକୃଷ୍ଣ ପରିଡ଼ା ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ଅବସରର ୧୨/୧୩ ବର୍ଷ ପରେ ମଧ୍ୟ ଅନେକ ଶିକ୍ଷକଙ୍କ ପେନ୍ସନ ନଥି ପ୍ରସ୍ତୁତ କରାଯାଉ ନଥିବାରୁ ନିୟମିତ ପେନ୍ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଏନିମନ୍ତେ ଆବଶ୍ୟକ ନଥିପତ୍ର ତ୍ବରାନ୍ବିତ କରୁନଥିବା ନେଇ ଅଭିଯୋଗ କରିଥିଲେ।
ଏହି ଧାରଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଉପସଭାପତି ଅକ୍ଷୟ ଦାସ, ପ୍ୟାରୀମୋହନ ଦାସ, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘର ସମ୍ପାଦକ ସୁଧାକର ମହାପାତ୍ର, ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସୁରେଶ ଚନ୍ଦ୍ର ବିଶ୍ବାଳ, ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ପ୍ରସନ୍ନ କୁମାର ମହାପାତ୍ର, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଗାଧୁ ସେଠୀ, ଶିକ୍ଷକ ନେତା ଅଭିରାମ ବେହେରା, ଶିକ୍ଷକ ମହାସଂଘ ପକ୍ଷରୁ ବୈକୁଣ୍ଠ ମହାରଣା, ବାମପନ୍ଥୀ ନେତା କିଶୋର ପରମଗୁରୁ ପ୍ରମୁଖ ପହଞ୍ଚି ଅବସରପ୍ରାପ୍ତ ଶିକ୍ଷକଙ୍କ ପେନ୍ସନ ପ୍ରଦାନକୁ ତ୍ବରାନ୍ବିତ କରିବାକୁ ଦାବି ରଖିବା ସହ ଧାରଣାକୁ ସମର୍ଥନ ଜଣାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ହୃଷିକେଶ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ମଣ୍ଡଳ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି। ଆନ୍ଦୋଳନରତ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ୨୫ ତାରିଖ ମଧ୍ୟରେ ୧୪ଜଣ ପେନସନ ପାଉନଥିବା ଶିକ୍ଷକଙ୍କ ସମସ୍ୟା ସମାଧାନର ପ୍ରତିଶ୍ରତି ଦେଇଥିଲେ। ଏହି ଆଲୋଚନାବେଳେ ଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତାଙ୍କ ସହ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ପ୍ରଧାନ, ବିଜୟିନୀ ତ୍ରିପାଠୀ, ରୋଜାଲିନୀ ଦାସ, ପଦ୍ମଚରଣ ମହାପାତ୍ର, ଭକ୍ତବଲ୍ଲଭ ଜେନା, ଗୌରଚରଣ ତ୍ରିପାଠୀ, ବିନୟ କୁମାର ତ୍ରିପାଠୀ, ସତ୍ୟବାନ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Khordha-BEO-karjyalaya-Thare-retired-teachernka-Dharana.jpg)