ସାରୁଅ ଘରୋଇ ଟିଭି ଚାନେଲ୍ କମ୍ପାନି ଜମିରେ ରାସ୍ତା ଦାବି କରି ବିକ୍ଷୋଭ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟିଭି ଚାନେଲ୍ କମ୍ପାନିର ମାଲିକାନାରେ ଥିବା ଜମି ମଧ୍ୟରେ ରାସ୍ତା ଦାବି କରି ଆଜି ସାରୁଅ ପଞ୍ଚାର ସରପଞ୍ଚ ସମେତ ଅନ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଆଜି ସରପଞ୍ଚ ରଞ୍ଜିତା ମହାଭୋଇଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ୍ବ ଗ୍ରାମବାସୀ ଓ ସମର୍ଥନରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦର କେତେକ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୩୦-୪୦ ମିନିଟ ଧାରଣା ଦେବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଉକ୍ତ ଘରୋଇ ଟିଭି ଚାନେଲ୍ କମ୍ପାନିର ପାଚେରୀ ଆରପଟରେ ସେମାନଙ୍କ ଚାଷ ଜମି ଅଛି। ପାଚେରୀ ନିର୍ମାଣ ହେବା ପୂର୍ବରୁ କମ୍ପାନିର ଜମି ଦେଇ ସେମାନେ ଜମିକୁ ଯାଉଥିଲେ, ବର୍ତ୍ତମାନ ପାଚେରୀ ପଡ଼ିବା ପରେ ଆଉ ଯାଇ ପାରୁନାହାଁନ୍ତି।

୨-୩ କିମି ବୁଲି ଚାଷ ଜମି ଓ ପୋଖରୀକୁ ଯିବାକୁ ପଡ଼ୁଛି, ଏଣୁ କମ୍ପାନି ସ୍ୱଜମିରୁ ସେମାନଙ୍କୁ ପୂର୍ବଭଳି ରାସ୍ତା ଦେଉ। ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀପ ମହାଭୋଇ ଓ ସହଯୋଗୀମାନେ ଉକ୍ତ କମ୍ପାନି ଭିତରେ ପଶି ସୁରକ୍ଷା କର୍ମୀ ତଥା ପୂର୍ବ ସେନା କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ଅନୁରୂପ ଏକ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ସେମାନେ ଗିରଫ ହୋଇଥିଲେ। ଏନେଇ ଏକାଧିକ ଥର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ପୃକ୍ତ ଆକ୍ରମଣକାରୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନରେ ଗିରଫ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର