ଖୋର୍ଦ୍ଧା: ଦୁଇଦିନ ପୂର୍ବେ ‘ସମ୍ବାଦ’ରେ ଜିଲ୍ଲାରେ କିଭଳି ଧାନ ବିକ୍ରି କରିବାକୁ ଯାଞ୍ଚ ପରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ମଧ୍ୟରୁ ୧୩ ହଜାର ଚାଷୀ ଧାନ ବିକ୍ରି କରିନପାରି ଅପେକ୍ଷା କରି ରହିଥିବା ବେଳେ ଜିଲ୍ଲାରେ ଧାନ ସଂଗ୍ରହ ଟାର୍ଗେଟ ପୂରଣ ହୋଇଯାଇଛି ସେନେଇ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଆଜି ଅନୁରୂପ ଅଭିଯୋଗ କରି ଚିଲିକା ତହସିଲ ଅନ୍ତର୍ଗତ ଆଙ୍କୁଲା ଓ କୁମାଣ୍ଡଳୋ ପାଟଣା ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣା ଦେଇଥିବା ଆଙ୍କୁଲା ସେବା ସମବାୟ ସମିତି ଲିଃର ପଞ୍ଜୀକୃତ ଚାଷୀ ମଧୁସୂଦନ ଦାସ, ଅକ୍ଷୟ କୁମାର ଦାଶ, ପ୍ରବଳ କୁମାର ନାୟକ, ସରୋଜିନୀ ସୁନ୍ଦରାୟ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଜାନୁଆରୀ ୨ ତାରିଖରେ ବ୍ଲକ, ସମବାୟ ସମିତିର ଅଧିକାରୀଙ୍କ ଉପସ୍ଥିତିରେ ଆଙ୍କୁଲାରେ ଧାନମଣ୍ଡିର ଉଦଘାଟନ ହୋଇଥିଲା।

Advertisment

ପଞ୍ଜୀକୃତ ହୋଇଥିବା ୫୫୭ଜଣ ଚାଷୀଙ୍କ ଠାରୁ ଧାନ କିଣିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ୩୭୭ଜଣ ଚାଷୀଙ୍କ ଠାରୁ ୨୩୦୪୨.୬୪ କ୍ୱିଂଣ୍ଟାଲ ଧାନ କିଣାଯାଇଛି। ବଳକା ୨୦୮ ଜଣ ଚାଷୀଙ୍କ ଠାରୁ ଏଯାଏଁ ଧାନ କିଣାଯାଇ ନାହିଁ କି କିଣାଯିବ ବୋଲି କୌଣସି ସ୍ପଷ୍ଟୋକ୍ତି ଦେଉନାହାନ୍ତି। ଫଳରେ ସେବା ସମବାୟ ସମିତିରେ ବଳକା ଚାଷୀଙ୍କର ୬୦୪୯.୧୨ କ୍ୱିଣ୍ଟାଲ ଧାନ ବିକ୍ରି ହୋଇ ନପାରି ପଡ଼ି ରହିଛି। ସେବା ସମବାୟ ସମିତିର ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରି ସମବାୟ ସମିତିକୁ ଅନୁମତି ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ସେମାନଙ୍କ ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସେମାନେ କହିଛନ୍ତି। ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।