ଭଦ୍ରକ: ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ମଙ୍ଗଳବାର ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ବରେ ୧୭ତମ ଦାବିପତ୍ର ନବୀନ ନିବାସ ଯାଇ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ସକାଳୁ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବା ପରେ ଭୁବନେଶ୍ବର ରେଳ ଷ୍ଟେସନ ନିକଟରୁ ଏକ ଶୋଭଯାତ୍ରାରେ ଶତାଧିକ ବୁଦ୍ଧୀଜୀବୀଙ୍କ ଗହଣରେ ଶ୍ରୀ ପଲେଇ ଭଦ୍ରକର ମେଡିକାଲ କଲେଜ ଓ ବିଶ୍ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ସ୍ଲୋଗାନ ଦେଇ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ର ଯାଇଥିଲା। ନବୀନ ନିବାସ ଆଗରେ ପହଞ୍ଚିବା ପରେ ସେଠାରେ ଭଦ୍ରକର ଏହି ପ୍ରମୁଖ ଦାବି ନେଇ ସ୍ଲୋଗାନ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଭଦ୍ରକ ବାସୀଙ୍କର ଏହି ଦୁଇ ପ୍ରମୁଖ ଦାବି ପ୍ରତି ଦୃଷ୍ଟି ଦେବାକୁ ଭଦ୍ରକର ବୁଦ୍ଧୀଜୀବୀ ଦାବି ଉଠାଇଥିଲେ।
ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ମାନେ ପୂର୍ବତନ ବିଧାୟକ ଶ୍ରୀ ପଲେଇଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଭଦ୍ରକ ଜିଲ୍ଲାର ଏହି ଦୁଇ ପ୍ରମୁଖ ଦାବିକୁ ନଇ ଆଜି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ୧୭ ତମ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାବାସୀ ଆଜିକୁ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଇ ଦୁଇଟି ଦାବି ଉପରେ ଆନ୍ଦୋଳନ, ଧାରଣା, ଧର୍ମଘଟ କରିଛନ୍ତି। ଭଦ୍ରକ ବନ୍ଦ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବହୁବାର ଧାରଣା ଦେଇଛନ୍ତି। ବିକ୍ଷୋଭ କରିଛନ୍ତି। ଅନେକ ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ଭଦ୍ରକର ଆଜି ପର୍ଯ୍ୟନ୍ତ ଏଇ ଦାବି ପୂରଣ ହୋଇ ପାରିଲା ନାହିଁ।
ଜିଲ୍ଲାର ୨୦ ଲକ୍ଷ ଲୋକଙ୍କ ପାଇଁ ଉଠୁଥିବା ଏହି ଦାବି ପ୍ରତି ରାଜ୍ୟ ସରକାର ସହୃଦୟତାର ସହ ବିଚାର କରିବାର ସମୟ ଆସିଛି। ଏହି ଦାବି ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟ କାରିକରିବା ଉଚିତ ବୋଲି ଶ୍ରୀ ପଲେଇ ରାଜ୍ୟ ସରକାରଙ୍କ ନିକଟରେ ଦୃଢ ଦାବି ଉଠାଇଛନ୍ତି। ଅତୀତରେ ମଧ୍ୟ ବିଧାନ ସଭାରେ ଏଇ ପ୍ରସଙ୍ଗ ନେଇ ବିଧାୟକ ମାନେ ଦାବି ଉଠାଇଛନ୍ତି। ପ୍ରଶ୍ନ ପଚାରିଛନ୍ତି। ମାତ୍ର ରାଜ୍ୟ ସରକାର କାହିଁକି ନୀରବ ରହୁଛନ୍ତି ବୋଲି ଦାବିପତ୍ର ନେଇ ଯାଇଥିବା ଭଦ୍ରକର ବୁଦ୍ଧୀଜୀବୀମାନେ ପ୍ରଶ୍ନ ଊଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଦ୍ରକବାସୀଙ୍କର ଏହି ଦୁଇଟି ଦାବି ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ଆଗାମୀ ନିର୍ବଚାନ ପୂର୍ବରୁ କେଉଁ ପଦକ୍ଷେପ ନେଉଛନ୍ତି। ତାହା ଉପରେ ସାରା ଜିଲ୍ଲାବାସୀଙ୍କର ନଜର ରହିଛି। ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ ହେଉଛି ଭଦ୍ରକବାସୀଙ୍କର ଭାବାବେଗର ପ୍ରସଙ୍ଗ। ଏଭଳି ପ୍ରସଙ୍ଗକୁ ସରକାର ଅଣଦେଖା କରିବା ଉଚିତ ନୁହେଁ। ରାଜ୍ୟ ସରକାର ତୁରନ୍ତ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରନ୍ତୁ ବୋଲି ଭଦ୍ରକର ପୂର୍ବତନ ବିଧାୟକ ଶ୍ରୀ ପଲେଇ ଦାବି କରିଛନ୍ତି।