ନୀଳଗିରି: ଧାନ ରୁଆଇ ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ନୀଳଗିରି ସହର ଠାରୁ ୨ କିମି ଦୂରରେ ଥିବା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବଡ଼ଅତା ଗାଁକୁ ଥିବା ମୁଖ୍ୟ ରାସ୍ତାର ଉନ୍ନତି କରଣ କରାଯିବାରେ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ରାସ୍ତାର ଦୂରାବସ୍ଥା ପାଇଁ  ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଗାଁକୁ  ଯିବାପାଇଁ ନାକ ଟେକୁଛନ୍ତି। ରୋଗାଗ୍ରସ୍ଥ ହେଲେ ୧କିମି  କାଦୁଅ ପଚପଚ ରାସ୍ତାରେ ଚାରିଜଣ ବୋହିକି ଆଣିବା ପରେ ଆମ୍ବୁଲାନ୍ସର ସୁବିଧା ମିଳିଥାଏ। ଯେଉଁ ସବୁ ଘଟଣାର ଚିତ୍ର ଆମେ ଉପାନ୍ତ ଅଞ୍ଚଳରେ ଦେଖିଥାଉ ତାହା ଏବେ ସହର ଠାରୁ ୨ କିମି ଦୂରରେ ଦେଖି ଲୋକେ ତାଜୁବ ହେଉଛନ୍ତି। ୫ ଦିନ ତଳେ ଉକ୍ତ ଗାଁର  ରବୀନ୍ଦ୍ର ମହାଳିକ ରୋଗାଗ୍ରସ୍ଥ ହୋଇଥିଲେ। ଆମ୍ବୁଲାନ୍ସ ଉକ୍ତ ରାସ୍ତାରେ ନ ଆସିବାରୁ ଭାରା କରି ଚାରିଜଣ ଲୋକେ ତାଙ୍କୁ ବୋହି ବୋହି ଗାଙ୍ଗପୁରା ଛକ ପର୍ଯ୍ୟନ୍ତ ନେଇଥିଲେ ଯେଉଁଠାରେ ଆମ୍ବୁଲାନ୍ସର ସୁବିଧା ମିଳିଥିଲା। ବଡଅତା ଗ୍ରାମର ୩ ନଂ ୱାର୍ଡ଼ରେ ଥିବା ରାସ୍ତାଟି ବର୍ଷା ପାଣିରେ ଅତି କଦର୍ଯ୍ୟ ହୋଇ ପଡ଼ିଛି। ଗାଡ଼ିମୋଟର ଯିବା ତ ଦୂରର କଥା, ବାଟୋଇ ଜଣେ ଏହି ରାସ୍ତାରେ ଚାଲି ଚାଲି ଯିବା କାଠିକର ପାଠ ହୋଇ ପଡ଼ିଛି।
publive-image
ପ୍ରତିଦିନ ଉକ୍ତ ରାସ୍ତାଦେଇ ଗ୍ରାମରେ ବାସକରୁଥିବା ୩ଶହରୁ ଅଧିକ ଲୋକ ଯାତାୟାତ କରିଥାଆନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଧା ପୂର୍ବ ଭଳି ପରିସ୍ଥିତି ବଳବତ୍ତର ରହିଛି। ଉକ୍ତ ରାସ୍ତା ପାଇଁ ମନରେଗା ଯୋଜନାରେ କାର୍ଯ୍ୟ ହେବା ପାଇଁ ୮ ଲକ୍ଷ ଟଙ୍କା ଆସିଥିଲା ହେଲେ ଯେଉଁ ଠିକାଦାର କାର୍ଯ୍ୟ ନେଇଥିଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି କାର୍ଯ୍ୟ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୌଣସି ରାସ୍ତା ଯୋଜନା ଏଠାରେ କାମ ଦେଉନି। ସରପଞ୍ଚ ନିଜେ କାର୍ଯ୍ୟକୁ ନିଜ ହାତକୁ ନେଇ ଯୁଦ୍ଧକାଳୀନ ଭିଭିରେ ଉକ୍ତ ଗାଁ ରାସ୍ତାକୁ ମରାମତି କରାଯିବା ସହିତ, ନୂତନ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ନହେଲେ ରାସ୍ତା ପାଇଁ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ଅଶୋକ ଜେନାଙ୍କୁ ପଚାରିବାରୁ ତାଙ୍କ ତରଫରୁ କୌଣସି ଭୁଲ କରାଯାଇ ନାହିଁ ଗ୍ରାମର କୌଣସି ଠିକାଦାର କାମ ନେଇ କରୁ ନାହାନ୍ତି ବୋଲି କହିଛନ୍ତି।
Advertisment