ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକର ପାରିଖିତି ପଞ୍ଚାୟତରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ନିର୍ବାଚିତ ଜନପ୍ରତିନିଧି ଓ ଗ୍ରାମ ଶାସନର ସଦସ୍ୟ ସଦସ୍ୟା ଗତ ମାସ ୭ ତାରିଖରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ କୌଣସି ଗୁରୁତ୍ବ ଦିଆଗଲା ନାହିଁ କି ସରପଞ୍ଚଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଯାହାଫଳରେ ସରପଞ୍ଚଙ୍କ ଦୌରାତ୍ମ୍ୟ ଆହୁରି ବଢିଲା।ଏହାକୁ ବିରୋଧ କରି ୧୨ ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦାବି ଗୁଡିକ ମଧ୍ୟରେ ଗ୍ରାମ ପଞ୍ଚାୟତରେ ମାସିକ ବୈଠକ ପ୍ରତି ମାସରେ କରାଯାଉ। ପ୍ରତି ବୈଠକରେ ବିବରଣୀ ପଠନ ସହ ଆୟ ବ୍ୟୟର ହିସାବ ଦିଆଯାଉ। ଉପର ଅଫିସରୁ ଆସୁଥିବା ନିର୍ଦେଶନାମା ଓ ନିୟମାବଳୀ ଇତ୍ୟାଦି ପ୍ରଦାନ କରାଯାଉ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ଆଗ୍ରାଧିକାର ତାଲିକା ଓ ୨୦୨୩-୨୪ ବର୍ଷର ଉପକୃତ ହିତାଧିକାରୀ ତାଲିକା ବୈଠକରେ ଉପସ୍ଥାପନା କରାଯାଉ। ପିଡିଏସ ଯୋଜନର ହିତାଧିକାରୀ ତାଲିକା ଓ ଭତ୍ତାଧାରୀଙ୍କ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମରାଯାଉ।
ବର୍ଷକରେ ୫ଟି ଗ୍ରାମ ସଭା ବୈଠକ ଅନୁଷ୍ଠିତ କରାଯାଉ। କେନ୍ଦ୍ରୀୟ ଅର୍ଥ ୧୫ ସିଏଫସି ଓ ୫ମ ଏସଏଫସି ଆୟୋଗର କାର୍ଯ୍ୟ ଖସଡା ଓ ମନରେଗା ଯୋଜନାର ପ୍ରକଳ୍ପ ତାଲିକା କାନ୍ଥରେ ପ୍ରକାଶିତ କରାଯାଉ। ହରିଶ୍ଚନ୍ଦ୍ର ଯୋଜନାରେ ସହଯୋଗ କରାଯାଉ। ପଞ୍ଚାୟତରେ ବଜେଟ ମୁତାବକ ବ୍ୟୟ କରାଯାଉ। ପାନୀୟ ଜଳ, ବିଦ୍ୟୁତ ସେବା ଓ ପରିମଳର ସୁଧାର କରାଯାଉ। କର ବ୍ୟବସ୍ଥାକୁ ବଳବତ୍ତର କରାଯାଉ। ଜନ ପ୍ରତିନିଧି ଓ ଗ୍ରାମ ଶାସନର ସଦସ୍ୟ ଓ ସଦସ୍ୟା ମାନଙ୍କୁ ସମ୍ମାନ ପ୍ରଦାନ କରାଯାଉ ବୋଲି ଦାବି ରହିଛି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସମୟରେ ହ୍ୟୁମାନ ରାଇଟସ୍ ଫରମର ବ୍ଲକ କମିଟି ସଭାପତି ନରସିଂଘ ମାଣ୍ଡାଙ୍ଗି, ଉପସଭାପତି ମୁକୁନା କାଡ୍ରାକା, ବୁଡୁ କଣ୍ଡାଗିରି, ନାବଦ ମିଶାଲ, ସାଧାରଣ ସମ୍ପାଦକ ନନ୍ଦ କୁମାର ତୋଇକା, କୃପାସିନ୍ଧୁ ମହାପାତ୍ର, ମଞ୍ଜୁଳା କଲକା ଟାସ୍କି, ବିଜୟ ଲକ୍ଷ୍ମୀ ତଇକା, ଗୁଣୁପୁର ସଭାପତି ପ୍ରଣବ କୁମାର ପଣ୍ଡା, ସୁଶାନ୍ତ ଲିମା ପ୍ରମୁଖ ଉପସ୍ଥିତ ଥିଲେ।