କୋରାପୁଟ/ସେମିଳିଗୁଡା: କୋରାପୁଟ ପୁଲିସ ଓ ପ୍ରଶାସନର ଫେଲ ମାରିଲା ଗୁଇନ୍ଦା। ଯାହା ଆଶା କରିଥିଲେ ତାହାଠାରୁ ଅଧିକ ଅଣପ୍ରଭାବିତ ବିକ୍ଷୋଭକାରୀ ଆସି ପହଞ୍ଚିଗଲେ। ହାତରେ ଅସ୍ତ୍ରଶସ୍ତ୍ର ଧରି ଆସିଥିବାରୁ ମୁତୟନ ରହିଥିବା ପୁଲିସ ଏହାକୁ ବିରୋଧ କରିଥିଲା। ଏହାପରେ ଯାହା ହେଲା ତାହା ଦେଖିବାଯୋଗ୍ୟ ଥିଲା। କୋରାପୁଟ ଜିଲ୍ଲା ସେମିଳିଗୁଡା କଙ୍କଡାଆମ୍ବ ଗାଁରେ ହିଣ୍ଡୋଲକୋ ପକ୍ଷରୁ ଖଣି ଖନନ ପାଇଁ ମାଳି ପର୍ବତ ଖନନକୁ ନେଇ ପରିବେଶ ଅନୁମୋଦନର ଜନଶୁଣାଣି ସଭାକୁ ପ୍ରବଳ ବିରୋଧ ହୋଇଥିବାବେଳେ ଆଜି ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ମଞ୍ଚ । ଶତାଧିକ ବିକ୍ଷୋଭକାରୀ ଚେୟାର ଟେବୁଲକୁ ଭାଙ୍ଗି ଚୁରମାର କରିଥିବାବେଳେ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମାଡ ମରାଯାଇଥିବା ଜଣାପଡିଛି। ଗୁରୁତର ଭାବେ କିଛି କର୍ମଚାରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ସୂଚନା ମୁତାବକ ମେସର୍ସ ହିଣ୍ଧାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ମିଳିଛି ଖଣି ଲିଜ | ଆଉ ମାଳି ପର୍ବତରୁ ଖଣି ଖନନ ସକାଶେ ପରିବେଶ ପ୍ରଦୂଷଣ ବିଭାଗର ଆଜି ଥିଲା ଜନଶୁଣାଣି । ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ଜନଶୁଣାଣି ହେବାର ଥିଲା । ଜନଶୁଣାଣିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷାକୁ ଖାତିର ନକରି ଜନଶୁଣାଣି ସଭାସ୍ଥଳକୁ ଅଣପ୍ରଭାବିତ ଲୋକେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ସଭାକୁ ବିରୋଧ କରିଥିଲେ। କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ, ସୋରିଷପଦର ,କଙ୍କଡାଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ ବକ୍ସାଇଟ ଉତ୍ତୋଳନ କରିବାକୁ ଆୟୋଜିତ ହୋଇଥିଲା ଜନଶୁଣାଣି । ଏଥିରେ ୧୮ଟି ପଞ୍ଚାୟତର ୭୦ ଖଣ୍ଡ ଗ୍ରାମବାସୀ ଯୋଗ ଦେଇଥିଲେ। ସଭାସ୍ଥଳରେ ବିକ୍ଷୋଭକାରୀମାନେ କାଗଜପତ୍ର ସହ ସଭାସ୍ଥଳୀ ନଷ୍ଟ କରିଦେଇଥିଲେ। ଜୀବନ ବିକଳରେ ଉଭୟ ସରକାରୀ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଫେରିଥିବାବେଳେ ଗ୍ରାମସଭା ହୋଇପାରିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ମାଳି ପର୍ବତ ସୁରକ୍ଷା ସଦସ୍ୟ ବିଜୟ ଖିଲ କହିଛନ୍ତି ଯେ ଯେତେବେଳେ ଯାଏ ଜୀବନ ଅଛି ସେତେବେଳ ଯାଏ କାହାକୁ ଇଞ୍ଚେ ମାଟି ଦେବୁ ନାହିଁ। ଯେତେବେଳେ ଯାଏ ସୂର୍ଯ୍ୟ ଚନ୍ଦ୍ର ତାରା ଅଛନ୍ତି ସେତେବେଳେ ଯାଏ ମାଳି ପର୍ବତରୁ ମୁଠାଏ ବି ଗୋଡି ଉଠାଇବାକୁ ଦିଆଯିବ ନାହିଁ। ଯଦି ଜୋରଜବରଦସ୍ତି ହେବ ତେବେ ରକ୍ତପାତ ହେବ ବୋଲି ସେ କହିଛନ୍ତି। ଏନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ଯେ ନିୟମ ଅନୁସାରେ ଖଣି ଖନନ ପରିବେଶ ମଞ୍ଜୁରୀ ବୈଠକ ବସିଥିଲା। ଏହି ସମୟରେ କିଛି ଅଣପ୍ରଭାବିତ ବିକ୍ଷୋଭକାରୀ ପ୍ରବେଶ କରି ଅପ୍ରୀତିକର ପରିସ୍ଥିତି ଉପୁଯାଇଥିଲେ। ପୁଲିସ ଏସକଟରେ ସରକାରୀ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଫେରିଥିବା ଦେଖିବାକୁ ମିଳିଛି।