ରାଇରଙ୍ଗପୁର: ଆଦିବାସୀ ହୋ ଭାଷାର ନିଜସ୍ୱ ଲିପି ‘ୱାରାଞ୍ଚିତି’ ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କର ୧୦୪ ତମ ଜୟନ୍ତୀ ଅବସରରେ ରାଇରଙ୍ଗପୁର ଠାରେ ହୋ ଭାଷାଭାଷୀ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁରସ୍ଥିତ ସିଦାହରା ସୁସାର ଆକାଳା ପରିସରରେ ପ୍ରଥମେ ସ୍ୱର୍ଗତଃ ଲାକୋ ବଦ୍ରାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଏହି ଶୋଭାଯାତ୍ରା ଆକାଳା ସମ୍ମୁଖରୁ ବାହାରି ଦୂର୍ଗାମଣ୍ଡପ, ମୁର୍ମୁଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସିଦାହରା ସୁସାର ଆକାଳାର ବାମନଘାଟୀ ଶାଖା ସଭାପତି ପଦ୍ମଚରଣ ବାନରା, ଉପଦେଷ୍ଟା ଜୟପାଲ ସିଂହ ମୁନ୍ଦୁୟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଜଲେନ୍ ବାର୍ଦା, ସାନଗୀ ଜଙ୍କ, ବାବୁଲୁ ପୂର୍ତି, ଗଙ୍ଗାଧର ହେମ୍ବ୍ରମ, ଲାଲୁ ପୂର୍ତି, ନାରୀନେତ୍ରୀ ପେଲଙ୍ଗ ଚାତାର, କୁଲୁଘୁଟୁ ସରପଞ୍ଚ ଗୁରୁବାରୀ ପୂର୍ତି ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ସିଦାହରା ସୁସାର ଆକାଳା ସମେତ ହୋ ସମାଜ ସମନ୍ୱୟ ସମିତି, ହୋ ଗାଲାଂ କମିଟି, ହୋ ହାୟାମ୍ ଉଲଗୁଲାନ୍ କମିଟି, ଆଦିବାସୀ ହୋ ସମାଜ ମହାସଭା, ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଆଦି ସାମାଜିକ ସଙ୍ଗଠନର ମିଳିତ ଆହ୍ୱାନକ୍ରମେ ଅନୁଷ୍ଠିତ ଉକ୍ତ ଶୋଭାଯାତ୍ରାରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକ୍ ସମେତ ରାଇରଙ୍ଗପୁରର ସହରର ହୋ ଭାଷାଭାଷୀ ମାନେ ସାମିଲ୍ ହୋଇଥିଲେ।
/sambad/media/post_attachments/wp-content/uploads/2023/09/IMG_20230919_123341.jpg)
ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା, ଅଷ୍ଟାଦଶ ଶତାବ୍ଦୀ ସାମନ୍ତ ଶାସକଙ୍କ ସ୍ୱେଚ୍ଛାଚାରୀ ଶାସନ ବିରୋଧରେ ସଶସ୍ତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା ମାଣ୍ଡୋ ସରଦାର ଓ ରଘୁବୀର କଣ୍ଡାଂକେଲ, ରାଇରଙ୍ଗପୁରର ପ୍ରଥମ ବିଧାୟକ ହାରଦେବ ସିଂହ ତିରିଆଙ୍କ ପୈତୃକ ଗାଁକୁ ଐତିହ୍ୟ ଗ୍ରାମ୍ୟର ମାନ୍ୟତା ଆଦି ଦାବିରେ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ସହକାରୀ ଉପଜିଲ୍ଲାପାଳ ଶକୁନ୍ତଳା ହାଁସଦାଃଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ଆନ୍ଦୋଳନରେ ଯଶିପୁର ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆ, ତିରିଂ ଚେୟାରମ୍ୟାନ୍ ପରମେଶ୍ୱର ସାମାଡ଼, ସାହେବ ସିଂହ ସିଦୁ, ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ମହାସଚିବ ଲକ୍ଷ୍ମୀଧର ସିଂହ, ଉପସଭାପତି ଗିରୀଶଚନ୍ଦ୍ର ହେମ୍ବ୍ରମ, ପ୍ରବକ୍ତା ମନୋରଞ୍ଜନ ତିରିଆ, ଜିଲ୍ଲା ସଭାପତି ବିର୍ସା କଣ୍ଡାଂକେଲଙ୍କ ସମେତ ହଜାର ହଜାର ହୋ ଭାଷାଭାଷୀ ସାମିଲ ଥିଲେ।