ରାୟଗଡା: ରାୟଗଡା କଂଗ୍ରେସର ଜିଲ୍ଲା ସଭାପତି ବିଜୟ ଗମାଙ୍ଗଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଆଜି ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏକ ବିଶାଳ ରାଲିରେ କଂଗ୍ରେସ କର୍ମୀ ବାହାରି ସହର ପରିକ୍ରମା କରିବା ପରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପସିବାକୁ ଚେଷ୍ଟା କରିଥିଲେ। ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା। ଓଡିଶାରେ ବିଦ୍ୟୁତ ଗ୍ରାହକଙ୍କୁ ଲୁଟୁଥିବା କଂଗ୍ରେସର ନେତା ମାନେ ଅଭିଯୋଗ କରିଥିଲେ। ଓଡିଶା ସରକାରଙ୍କର ଶକ୍ତି ବିଭାଗ ଶୋଷଣ କରୁଥିବା ଅଭିଯୋଗ କରାଯାଇଥିଲା। ରାଜ୍ୟର ବିଦ୍ୟୁତ ଦର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ। ଏପରିକି ଯେଉଁ ରାଜ୍ୟ ଓଡିଶାରୁ ବିଦ୍ୟୁତ କ୍ରୟ କରୁଛି, ସେମାନେ ନିଜ ରାଜ୍ୟରେ ବିଦ୍ୟୁତ ଦର ଓଡିଶା ଠାରୁ ମଧ୍ୟ କମରେ ଦେଉଛନ୍ତି। ରାୟଗଡା ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ଲଗାତାର ଜାରି ରହିଥିବା ବେଳେ ଲୋ’ ଭୋଲଟେଜରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏନେଇ ଜନସାଧାରଣ ବିଦ୍ୟୁତ ବିଭାଗର ଅଧିକାରୀ ସମେତ ସରକାରଙ୍କୁ ଅବଗତ କରାଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା କଂଗ୍ରେସ ଅଭିଯୋଗ କରଥିଲା। ଏପରିକି ଶକ୍ତିମନ୍ତ୍ରୀ ରାଜ୍ୟରେ ବିଦ୍ୟୁତ କାଟ ହେଉନଥିବା ଯୁକ୍ତି ବାଢୁଛନ୍ତି।
/sambad/media/post_attachments/wp-content/uploads/2023/06/Rgda-congress-strike-at-electric-office-3.jpg)
ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଏବଂ ସଚିବଙ୍କ ମଧ୍ୟରେ ବିଦ୍ୟୁତ ବିଷୟରେ କୌଣସି ତାଳମେଳ ରହୁ ନଥିବା ଅଭିଯୋଗ କରାଯାଇଛି। ୨୩ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳର ସଫଳତା କି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ମୁଖ୍ୟ ଶାସନ ସଚିବଙ୍କୁ କଂଗ୍ରେସ ଦଳ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ ଜିଲ୍ଲାରେ ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରାଯାଉ ଏବଂ ଗ୍ରାହକଙ୍କୁ ଅନବରତ ଭାବେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆଯାଉ। ଆହେତୁକ ବିଦ୍ୟୁତ ଦରକୁ କମ୍ କରାଯାଉ। ବିଦ୍ୟୁତ ଦେୟ ପ୍ରତିମାସରେ ଏକ ନିର୍ଦ୍ଧିଷ୍ଟ ସମୟରେ ଆଦାୟ କରାଯାଉ। ବକେୟା ବିଦ୍ୟୁତ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୋର ଜୁଲମ କରି ଯେଉଁ ସୁଧ ସହ ବିଦ୍ୟୁତ ଦେୟ ଆଦାୟ କରାଯାଉଛି। ସେଥିରୁ ତୁରନ୍ତ ନିବୃତ ରୁହନ୍ତୁ। ନହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଦ୍ୟୁତ କର୍ମଚାରୀ ଦାୟି ରହିବେ। ବିଦ୍ୟୁତ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଥିବା ୧୫ ହଜାର କୋଟି ଟଙ୍କାର ଶ୍ବେତପତ୍ର ସରକାର ତୁରନ୍ତ ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଛି। ଆଜିର ଏହି ରାଲି ଓ ବିକ୍ଷୋଭରେ ପର୍ଯ୍ୟବେକ୍ଷକ ନିମାଇଁ ସରକାର, ବରିଷ୍ଠ ନେତା ଆପାଲ ସ୍ବାମୀ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ।