ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡାରେ ନିୟମଗିରି ସୁରକ୍ଷା ସମିତିର କର୍ମୀ ବଳି କରକରିଆଙ୍କୁ ମିଥ୍ୟା କେସରେ ଗିରଫକୁ ନିନ୍ଦା କରି ତାଙ୍କୁ ଅବିଳମ୍ବେ ମୁକ୍ତ କରିବାକୁ ଓଡ଼ିଶା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ତରୁଫରୁ ଦାବି କରାଯାଇଛି। ଏହି ଗିରଫଦାରୀ ପ୍ରତିବାଦରେ ଆଜି ବୁଧବାର ନିୟମଗିରି ସୁରକ୍ଷା ସମିତିର ନେତୃମଣ୍ଡଳୀ, ମହିଳା ଓ ପୁରୁଷ ସଦସ୍ୟ ମାନେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିୟମଗିରି ସୁରକ୍ଷା ସମିତିର ଶତାଧିକ ମହିଳା ଓ ପୁରୁଷ କର୍ମୀ ଓ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ମୁନିଖୋଲରୁ ଏକ ଶୋଭାଯାତ୍ରାରେ ବାହାରି ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ମିଥ୍ୟା ଗିରଫ ଓ ପୁଲିସ ବିରୋଧରେ ନାରାବାଜି ଦେଇ ସହର ପରିକ୍ରମା କରି ଥାନା ଗେଟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଉପରେ ପୁଲିସ ବିଭିନ୍ନ ସମୟରେ ଜୁଲୁମ ଦେଖାଇ ନୀରିହ ଲୋକଙ୍କୁ ମିଥ୍ୟା ମାଓବାଦୀ କେସରେ ଉଠାଇ ନେଉଥିବା ବେଳେ ଗତ ୩ଦିନ ତଳେ ନିୟମଗିରି ସୁରକ୍ଷା ସମିତିର କର୍ମୀ ତଥା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତର ଡେଙ୍ଗୁଣୀ ଗ୍ରାମର ବଳି କରକରିଆଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ବିଷୟକୁ ନେଇ ନିୟମଗିରି ସୁରକ୍ଷା ସମିତି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁନିଗୁଡା ଏସଡିପିଓ, ଥାନା ଅଧିକାରୀ ସମସ୍ତଙ୍କୁ ପଚାରିବା ପରେ ସେମାନେ ଏ ବିଷୟରେ କିଛି ଜାଣି ନଥିବା ଓ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିବା ଜଣାଯାଇଛି। ଅସନ୍ତୁଷ୍ଟ ଜନତା ବଳିକୁ କିପରି ମିଥ୍ୟା କେସରେ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ କାହିଁକି ବୋଲିକୁ ଉଠାଇ ନେଇଛି ତା’ର ସତ୍ୟାସତ୍ୟ ସମ୍ପର୍କରେ ଯଦି ପୁଲିସ କୌଣସି ସୁଚନା ନ ଦିଏ ଏବଂ ବୋଲିକୁ ବିନା ସର୍ତ୍ତରେ ଛଡା ନଯାଏ ତାହାହେଲେ ଆଗାମୀ ଦିନରେ ନିୟମଗିରି ସୁରକ୍ଷା ସମିତି ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପ୍ରତିବାଦ ସଭାରେ ଘୋଷଣା କରାଯାଇଥିଲା।

ଏହି ପ୍ରତିବାଦ ସଭାରେ ଆବାହକ ଲିଙ୍ଗରାଜ ଆଜାଦ୍ ଓ ଉପସଭାପତି ଦଧି ପୁଷିକାଙ୍କ ମିଳିତ ନେତୃତ୍ୱରେ ସଙ୍ଗଠକ ଉପେନ୍ଦ୍ର ବାଗ୍, କର୍ମୀ ଦାସୁରୁ କାଡ୍ରାକା, ସାଇବୁ ପୁଷିକା, କଳାହାଣ୍ଡି ଜିଲ୍ଲା ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର, ଏ.ଆଇ.କେ.ଏମ୍.ଏସ୍.ର ବ୍ଲକ ସଭାପତି କନିନ୍ଦ୍ର ଜାଲିକା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଓ କର୍ମୀ ମାନେ ଯୋଗଦେଇ ଉକ୍ତ ଚେତାବନୀ ଦେଇଛନ୍ତି। ନିୟମଗିରି ସୁରକ୍ଷା ସମିତିର ଏହି ‌ନ୍ୟାୟ ସଙ୍ଗତ ପ୍ରତିବାଦ ଆନ୍ଦୋଳନକୁ ସଂହତି ଜଣାଇ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପୁଲିସର ଏହି ଜନବିରୋଧୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ସମିତିର ସମସ୍ତ କର୍ମକର୍ତ୍ତାଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ପ୍ରକାଶ ଥାଉ କି, ମୁନିଗୁଡା କେସ ନମ୍ବର ୧୮୭/୨୩ରେ କେସ ରୁଜୁ କରି ନକ୍ସଲ ସଙ୍ଗଠନର ମିଲିସିଆ ଭାବେ କାମ କରୁଥିବା କାଡ୍ରାପାଙ୍ଗା ଗ୍ରାମର ନୂଆମାଝୀ କାଡ୍ରାକା(୪୦), ପାଟରାଣୀ ଗ୍ରାମର ରାଗିଡି ଗାଗରାଙ୍ଗ(୨୫), ଗୁନାଖାଇ ଗ୍ରାମର ପାଗୁଡା କିମ୍ବାକା(୩୦) ଏବଂ ବଡଡେଙ୍ଗୁଣି ଗ୍ରାମର ବଳି କରକରିଆ(୪୨)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।