ରାୟଗଡା: ରାୟଗଡା ସହରର ଶେରିଗୁଡା ସ୍ଥିତ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିଃ. (ଟିପିଏସଓଡିଏଲ) ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ରାୟଗଡା ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ପକ୍ଷରୁ ଦିଆଯାଇଥିବା ଧାରଣା ଗୁରୁବାର ଠାରୁ ରିଲେ ଅନଶନ ଧର୍ମଘଟରେ ପରିଣତ ହୋଇଛି। ରାୟଗଡାର ୭ଜଣ ଲାଇନମ୍ୟାନଙ୍କ ବିଭିନ୍ନ ଅସୁବିଧାକୁ ନେଇ ବଦଳି କରିବା ପାଇଁ ସଂଘ ମଣ୍ଡଳ ସମ୍ପାଦକ ପ୍ରଫୁଲ୍ଳ ଚନ୍ଦ୍ର ମହାପାତ୍ର ରାୟଗଡା ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ ଓ ଅଧୀକ୍ଷଣ ଯନ୍ତ୍ରୀ ନରତମ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିବା ପରେ ରାୟଗଡା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଉପରିସ୍ଥ କର୍ମକର୍ତାମାନେ ରାୟଗଡା ଟିପିଏସଓଡିଏଲର ଉକ୍ତ ଦୁଇ ଅଧିକାରୀଙ୍କ ସହ ୨ଥର ଆପୋଷ ଆଲୋଚନା କରି ଲିଖିତ ପ୍ରତିଶୃତି ପତ୍ର ଦିଆଯାଇଥିଲା। ଏହି ପତ୍ରକୁ ଭିତ୍ତି କରି ନିର୍ବାହୀ ଯନ୍ତ୍ରୀ ବୈଦୁତିକ ଶ୍ରୀ ନାୟକ ଗତ ମେ’୧୫ତାରିଖରେ ୭ଜଣ ଲାଇନମ୍ୟାନ ମାନଙ୍କ ବଦଳି ଆଦେଶ କରିଥିଲେ। କିନ୍ତୁ ଉକ୍ତ ବଦଳି ଆଦେଶକୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମେ’ ୧୭ତାରିଖ ଠାରୁ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟକାରୀ ନ କରି ସ୍ଥଗିତ ରଖିଛନ୍ତି। ଆଉ ଏହି ସ୍ଥଗିତ ଆଦେଶକୁ ଉଚ୍ଛେଦ କରିବା ପାଇଁ ମଣ୍ଡଳ ସମ୍ପ‌ାଦକ ଶ୍ରୀ ମହାପାତ୍ର ଅଧିକ୍ଷଣ ଯନ୍ତ୍ରୀ ଏବଂ ଉପରିସ୍ଥ ଅଧିକାରୀଙ୍କ ଠାରେ ବାରମ୍ବାର ଅନୁରୋଧ ତଥା ଚିଠି ମାଧ୍ୟମରେ ଜଣାଇବା ସତ୍ବେ କେହି ବି କର୍ଣ୍ଣପାତ କରୁନାହାନ୍ତି।

Advertisment

ତେଣୁ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ସଂଘ ମଣ୍ଡଳ ସମ୍ପାଦକ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଗତ ୩୧ ତାରିଖରୁ ଶ୍ରମିକ କର୍ମଚାରୀ ସଂଘର ଶତାଧିକ କର୍ମଚାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆଜି ଗୁରୁବାର ଠାରୁ ରିଲେ ଅନଶନ ଧର୍ମଘଟ ଆରମ୍ଭ ହୋଇଥିବା ନେଇ ମଣ୍ଡଳ ସମ୍ପାଦକ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ତେବେ ବିଭିନ୍ନ ଦାବି ମଧ୍ୟରୁ ଲାଇନମ୍ୟାନ ‘ସି’ଓ ‘ବି’ଙ୍କ ସ୍ଥଗିତ ବଦଳି ଆଦେଶ ସଂଖ୍ୟା ୯୮୨/୨୦୨୩-୨୪-୧୭/୫/୨୩କୁ ଉଚ୍ଛେଦ କରିବା, ଟିପିଏସଓଡିଏଲ ପରିଚାଳନା ଦାୟିତ୍ୱ ନେବା ପୂର୍ବରୁ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ପଦୋନ୍ନତି, ବଦଳି ଓ ଅନ୍ୟାନ୍ୟ ଦାୟିତ୍ୱ ଯାହା ଥିଲା ତାହାକୁ ବଳବତର ରଖିବା ଭଳି ଦାବି ପୂରଣ ନ ହେବା ଯାଏଁ ଧର୍ମଘଟରୁ ଓହରିବୁ ନାହିଁ ବୋଲି କହିଛନ୍ତି। ରାୟଗଡା ଡିଭିଜନାଲ ସମ୍ପାଦକ ଏନ. ମନୋଜ ରାଓ, ଉପଦେଷ୍ଠା ବିଜୟ କୁମାର ରାଉଳ, କେନ୍ଦ୍ର କାର୍ଯ୍ୟକାରୀ ସଭ୍ୟ ଉପେନ୍ଦ୍ର ମହାପାତ୍ର, ସରୋଜ କୁମାର ଗୌଡ, ସହ ସମ୍ପାଦକ ଡି.ଭି.ଏସ. ପ୍ରସାଦ, ସଂଗଠନ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାଲିକ ଓ ଅନ୍ୟାନ୍ୟ ଡିଭିଜନାଲ କର୍ମକର୍ତ୍ତା ପ୍ରମୁଖ ଧର୍ମଘଟରେ ସାମିଲ ହୋଇଛନ୍ତି।