ରାୟଗଡା: ରାୟଗଡାସ୍ଥିତ ଉତ୍କଳ ଆଲୁମିନା ଫାଟକ ନିକଟରେ ସୋମବାର ଶତାଧିକ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି। ଅପରାହ୍ନରେ ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ଏକ ବୈଠକ ଡକାଯାଇଛି। ଧାରଣାରେ ବସିଥିବା ସଫେଇ କର୍ମଚାରୀମାନେ କହିଛନ୍ତି ଯେ, ଦରମା ବୃଦ୍ଧି ସାଙ୍ଗକୁ ଇପିଏଫ ଲାଗୁ ହେଉନାହିଁ। ଦୀର୍ଘଦିନ ଧରି ଏହି କର୍ମଚାରୀ ନିଜର ନ୍ୟାଯ୍ୟ ଦାବି କରି ଆସୁଥିଲେ ମଧ୍ୟ କମ୍ପାନି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏପରିକି ଦରମା ମଧ୍ୟ ସିଧା କମ୍ପାନିରୁ ନପାଇ ଥାର୍ଡ ପାର୍ଟି ଦ୍ବାରା ଦିଆଯାଉଛି। ତେଣୁ ଏହା ସବୁ ଦୂର କରିବା ପାଇଁ ଧାରଣା ଦିଆଯାଇଛି।

Advertisment

ତେଣୁ କମ୍ପାନି କର୍ମଚାରୀଙ୍କୁ ସିଧା ଦରମା ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି। ଏଥିସହ ଅନ୍ୟାନ୍ୟ ଦାବି ମଧ୍ୟ କମ୍ପାନି ନିକଟରେ କର୍ମଚାରୀ ମାନେ ରଖିଛନ୍ତି। ବିଶେଷକରି ସେମାନଙ୍କୁ କମ୍ପାନିର ନିୟମ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ସ୍ଥାୟୀ କରାଯାଉ। ଖବର ଲେଖାଯିବା ପର୍ଯ୍ୟନ୍ତ ବୈଠକ ଚାଲିଥିବାରୁ ନିଷ୍ପତ୍ତି ବିଷୟରେ ତଥ୍ୟ ମିଳିପାରିନାହିଁ।