ପାଣି ପାଇଁ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଧରାକୋଟ : ପାନୀୟ ଜଳ ସମସ୍ୟା ସମାଧାନରେ କାଳକ୍ଷେପଣ ନୀତି ଅବଲମ୍ବନ ପ୍ରତିବାଦରେ ଧରାକୋଟ ବ୍ଲକ୍‌ ଢଉଗାଁ ଗ୍ରାମବାସୀ ସୋରଡ଼ା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶତାଧିକ ମହିଳା ଓ ପୁରୁଷ ହାଣ୍ଡିମାଠିଆ ରଖି ଦିନ ୧୧ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଅବରୋଧ କରିବାରୁ ପରିସ୍ଥିତି ଅଶାନ୍ତ ହୋଇଥିଲା। ଏହାସହ ସୋରଡ଼ା, ବ୍ରହ୍ମପୁର, ଆସିକା ଓ ଦିଗପହଣ୍ଡିକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଦୁଇପାର୍ଶ୍ବରେ ଛୋଟବଡ଼ ଯାନବାହନ ଅଟକି ରହିଥିଲା।

ଢଉଗାଁ ପନ୍ଦରାସାହିକୁ ବହୁଦିନ ଧରି ପିଇବା ପାଣି ଯୋଗାଣ ସମସ୍ୟା ଲାଗି ରହିଛି। ଏନେଇ ବହୁବାର ବ୍ଲକ୍‌ ପ୍ରଶାସନ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ଧରାକୋଟ ତହସିଲଦାର ଓ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

 

ଏନେଇ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଗ୍ରାମଟି ବହୁ ଉଚ୍ଚରେ ଅଛି। ଏଣୁ ଅଲଗା ଓ ନୂତନ ଭାବେ ପାଇପ୍ ଲାଇନ୍ ବିଛାଯାଇ ପନ୍ଦରା ସାହିକୁ ପାଣି ଯୋଗାଣ ପାଇଁ ଖୁବ୍‌ ଶୀଘ୍ର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଲକ୍ ପ୍ରଣାଳୀକୁ କଣ୍ଟ୍ରୋଲ୍ କରି ପିଇବା ପାଣି ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର