ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଖୋର୍ଦ୍ଧା: ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବେଆଇନ ଭାବେ ଗିରଫ କରିବା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର କହିଛନ୍ତି ଯେ ବିଜେଡି ସରକାରରେ ବୁକ୍ ସର୍କୁଲାର ୪୭ର ଉଲ୍ଲଂଘନ ଓ ଲୋକ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ଏଠାରେ ଅଫିସରରାଜ ଚାଲିଛି। ଦେବଗଡ଼ ଘଟଣା ଏହାର ଏକ ଉଦାହରଣ। ତିଲେଇବଣୀ ବ୍ଲକ ଉନ୍ନୟନ ଅଧିକାରୀ ବିଧାୟକଙ୍କୁ ପ୍ରଥମେ ଦୁର୍ବ୍ୟବହାର କରିଥିଲେ। ଏନେଇ ବିଧାୟକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନଥିଲା।

କିନ୍ତୁ ବିଡିଓଙ୍କ ଅଭିଯୋଗର କୌଣସି ତଦନ୍ତ କରାନଯାଇ ବିଧାୟକଙ୍କୁ ଓଲଟି ଗିରଫ କରାଗଲା। ଏଣୁ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ବେଆଇନ ଭାବେ ରୁଜୁ ହୋଇଥିବା ମାମଲାର ପ୍ରତ୍ୟାହାର ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ନିକୁଞ୍ଜ ପଟ୍ଟନାୟକ, ରୋଜିନାରାଣୀ ଦାଶ, ପ୍ରଦୀପ୍ତ କୁମାର ପାଣି, କୁନିଲତା ସ୍ୱାଇଁ, ପ୍ରତାପ ମହାପାତ୍ର, କାଉନସିଲର ବିଦ୍ୟୁତ୍ଲତା ସାହୁ, ଲୀନା ସ୍ୱାଇଁ, ସୃଷ୍ଟି ମାଝୀ, ଶୁଭଲକ୍ଷ୍ମୀ ମହାରଣା, ପବିତ୍ର ମୋହନ ସାହୁ, ଗୁଣନିଧୀ ମହାପାତ୍ର, ସୁମିତ୍ର ପ୍ରଧାନ, ନଗର ସଭାପତି ଲୋକନାଥ ପ୍ରଧାନ, ଦେବବ୍ରତ ଆଚାର୍ଯ୍ୟ, ଆଶୁତୋଷ ବେହେରା, ଗୌର ଚରଣ ପ୍ରହରାଜ ପ୍ରମୁଖଙ୍କ ସହ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର