ତେଜିଲା ମନ୍ଦିର ଖୋଲିବା ଦାବି, ସକାଳ ୯ଟାରୁ ୯ ମିନିଟ୍ ପାଇଁ ବାଜିଲା ଘଣ୍ଟ ଘଣ୍ଟା

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ଏହି ପ୍ରତିବାଦ

ବାରିପଦା: ଜୋର ଧରିଲା ମନ୍ଦିର ଖୋଲିବା ଦାବି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ୯ଟାରୁ ୯ ମିନିଟ ପର୍ଯ୍ୟନ୍ତ ମନ୍ଦିର ଖୋଲିବା ଦାବିରେ ଓଡ଼ିଶା ସେବାୟତ ସଂଘର ନିଷ୍ପତ୍ତି କ୍ରମେ ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ସମ୍ମୁଖରେ ସେବାୟତମାନେ ଘଣ୍ଟ ଘଣ୍ଟା ବଜାଇ ପ୍ରତିବାଦ ଜଣାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିଦିନ ଏହିଭଳି ଢଙ୍ଗରେ ଅଭିନବ ପ୍ରତିବାଦ ଜାରି ରହିବ ବୋଲି ସେବାୟତମାନଙ୍କ ପକ୍ଷରୁ ପ୍ରକାଶ।

ରାଜ୍ୟରେ ଥିବା ସମସ୍ତ ମନ୍ଦିରଗୁଡ଼ିକର ସୁପରିଚାଳନାର ବ୍ୟବସ୍ଥା କରାଯିବା, କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲାଯିବା ସାଙ୍ଗକୁ ମନ୍ଦିରରେ ମହାପ୍ରଭୂଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ସେବାୟତମାନଙ୍କୁ ୮ ମାସର କରୋନା ସହାୟତା ପ୍ରଦାନ କରାଯିବା, ସେବାୟତମାନଙ୍କୁ ଜୀବନ ବୀମାଭୂକ୍ତ କରାଯିବା, ସେବାୟତମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ଏବଂ ମାସିକ ଭତ୍ତା ପ୍ରଦାନ ଭଳି ୫ ଦଫା ଦାବି ନେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ ଜାରି ରହିବ ବୋଲି ଓଡ଼ିଶା ସେବାୟତ ସଂଘର ରାଜ୍ୟ ସଭାପତି କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ସେବାୟତମାନେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ।

ସରକାରଙ୍କର ନିଦ୍ରା ଭଙ୍ଗ ନିମନ୍ତେ ସେବାୟତମାନେ ମନ୍ଦିର ସମ୍ମୁଖରେ ଯେତେ ଘଣ୍ଟ ଘଣ୍ଟା ବଜାଇଲେ ମଧ୍ୟ ସରକାରଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଆସନ୍ତା ବିଧାନସଭା ପୂର୍ବରୁ ସେବାୟତମାନଙ୍କ ୫ ଦଫା ଦାବି ପୂରଣ ନହେଲେ ସେମାନେ ଆରମ୍ଭ ଦିନରୁ ବିଧାନସଭା ସମ୍ମୁଖରେ ଅନଶନରେ ବସିବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଅନୁଷ୍ଠିତ ପ୍ରତିବାଦରେ ଶ୍ରୀ ହରିବଳଦେବଜୀଉ ମନ୍ଦିରର ସମସ୍ତ ସେବାୟତ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର