ମଣ୍ଡି ଖୋଲିବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖୋର୍ଦ୍ଧା: ଚଳିତବର୍ଷ ୧ ମାସ ବିଳମ୍ବରେ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇ ୧ ସପ୍ତାହ ବିତିଗଲାଣି, କିନ୍ତୁ ନିର୍ଦ୍ଧାରିତ ସମସ୍ତ ୧୬୦ରୁ ଉର୍ଦ୍ଧ୍ବ ସେବା ସମବାୟ ସମିତିରେ ମଣ୍ଡି ଖୋଲି ପାରିନାହିଁ। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ବର୍ତ୍ତମାନ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଖୋଲିଥିବା ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଖୋଲିନଥିବା ଧାନମଣ୍ଡି ଖୋଲିବା ଦାବିରେ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କଲେଣି। ଏହି କ୍ରମରେ ଆଜି ପଲ୍ଲା-ତୋଟାପଡ଼ା ସେବାସମବାୟ ସମିତିର ଚାଷୀ ମାନେ କୁରାଢ଼ମଲ୍ଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡିଖୋଲିବା ଦାବିରେ ଧାରଣା ଦେଇଥିଲେ। ଆଜି ସକାଳେ କୁରାଢ଼ମଲ୍ଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପଲ୍ଲା-ତୋଟାପଡ଼ାର ଶତାଧିକ ଚାଷୀ ସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଅବରୋଧ କରି ଧାରଣା ଦେଇଥିଲେ। ଚାଷୀଙ୍କ ଅଭିଯୋଗ ହେଲା, ୧୦ ତାରିଖରେ ଧାନ ବିକ୍ରି କରିବାକୁ ସେବା ସମବାୟ ସମିତିର ପଞ୍ଜୀକୃତ ଚାଷୀଙ୍କ ନିକଟକୁ ମୋବାଇଲ୍ ବାର୍ତ୍ତା ଆସିଥିଲା। ଚାଷୀ ଧାନ ନେଇ ମଣ୍ଡିରେ ପହଞ୍ଚିବା ବେଳେ ମଣ୍ଡି ଖୋଲା ଯାଇନଥିଲା। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ୧୭ ତାରିଖରେ ମଣ୍ଡି ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ଆଜି ମଧ୍ୟ ମଣ୍ଡି ଖୋଲିନାହିଁ। ଥରେ ନୁହେଁ ଦୁଇ ଦୁଇଥର ଚାଷୀ ମାନେ ପ୍ରଶାସନ ଦ୍ୱାରା ପ୍ରତାରଣାର ଶିକାର ହୋଇ ଧାନ ନେବା ଆଣିବା କରିବାରେ ସହସ୍ରାଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ବର୍ତ୍ତମାନ ମଧ୍ୟ ଧାନମଣ୍ଡି କେବେ ଖୋଲିବ ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଆଜିର ଏହି ଧାରଣାରେ ବୈକୁଣ୍ଠ ନାଥ ସାମନ୍ତରାୟ, ଦେବାନନ୍ଦ ଦାଶ, ଦେବାଶିଷ ଶ୍ରୀଚନ୍ଦନ, ସନ୍ତୋଷ ପାହାଡ଼ସିଂହ, ବାବୁଲୁ ପ୍ରଧାନ, ପ୍ରଦୀପ ଲେଙ୍କା, ଦୁର୍ଯ୍ୟୋଧନ ବଳିଆରସିଂହ, ଜିତେନ୍ଦ୍ର କୁମାର ଚମ୍ପତ୍ତିଙ୍କ ସହ ଶତାଧିକ ଚାଷୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର