ୱାର୍ଡ଼ ପରିବର୍ତ୍ତନକୁ ବିରୋଧ: ଶାନ୍ତିଦାନ କଲୋନୀବାସୀଙ୍କ ଧାରଣା 

ଖୋର୍ଦ୍ଧା: ଖୋର୍ଦ୍ଧାରେ ଥିବା କୁଷ୍ଠରୋଗୀଙ୍କ ଶାନ୍ତିଦାନ କଲୋନୀର ପ୍ରାୟ ୧୦୦ ଭୋଟର ବୁଧବାର ସେମାନଙ୍କ ୱାର୍ଡ଼ ପରିବର୍ତ୍ତନ ନେଇ ଅସନ୍ତୋଷ ଝାଡ଼ିଛନ୍ତି। ଏହାକୁ ବିରୋଧ କରି ସେମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଶାନ୍ତିଦାନ କଲୋନୀର ପ୍ରାୟ ୨୫ ପରିବାର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଧାରଣାରେ ବସିବା ସହ ଜିଲ୍ଜିଲାପାଳଙ୍କୁ ଏକ ଦାବପତ୍ର ପ୍ରଦାନ କରିଥିଲେ। ଉକ୍ତ କଲୋନୀର ତୋଫାନ ନାୟକଙ୍କ କହିବାନୁଯାୟୀ, ସେ ଏହି କଲୋନୀରେ ୪୦ ବର୍ଷ ହେଲା ରହି ଆସୁଛନ୍ତି। କଲୋନୀରେ ରହୁଥିବା ୨୫ ପରିବାରର ପ୍ରାୟ ୧୦୦ ଭୋଟରଙ୍କ ନାମ ସେହି ୱାର୍ଡ଼ରେ ରହିଛି।  ସେମାନେ କ୍ରମାଗତ ଭାବେ ଭୋଟ ଦେଇ ଆସୁଛନ୍ତି। କିନ୍ତୁ ଚଳିତ ପୌର ପରିଷଦର ନୂତନ ସୀମା ନିର୍ଦ୍ଧାରଣରେ ସେମାନଙ୍କ ନାମକୁ ୧୧ ନମ୍ବର ୱାର୍ଡ଼ରେ ଯୋଡ଼ା ଯାଇଛି।

୧୧ ନମ୍ବର ୱାର୍ଡ଼ର ବୁଥ୍‌ ମଧ୍ୟ ସେମାନଙ୍କ କଲୋନୀଠାରୁ ଅନେକ ଦୂରରେ ରହିଛି। ଯେହେତୁ ଅଧିକାଂଶ ଭୋଟର ଚାଲିବାରେ ଅକ୍ଷମ ହୋଇଥିବାରୁ ମତଦାନ କରିବାରେ ସମସ୍ୟା ଉପୁଜିବ। ଏହାକୁ ଦୃଷ୍ଟିରେ ରଖି ପୂର୍ବଭଳି ସେମାନଙ୍କୁ ୧୦ ନମ୍ବର ୱାର୍ଡ଼ର ଭୋଟର ତାଲିକାରେ ଯୋଡ଼ିବାକୁ ଜିଲ୍ଳାପାଳଙ୍କୁ ଅନୁରୋଧ କରିଛନ୍ତି। ଯଦି ସେମାନଙ୍କ ଭୋଟର ତାଲିକା ପରିବର୍ତ୍ତନ ନହୁଏ ତେବେ ସେମାନେ ଆଗାମୀ ପୌର ପରିଷଦର ମତଦାନରୁ ବିରତ ରହିବେ ବୋଲି କହିଛନ୍ତି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର କଲୋନୀର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଏନେଇ ଉପଜିଲ୍ଳାପାଳ ତଥା ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର