ଖୋର୍ଦ୍ଧା: ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାକର୍ସ ଆସୋସିଏସନ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ୧୪ ଦଫା ଦାବିରେ ଏକ ପ୍ରତିବାଦ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପୂର୍ବାହ୍ନରେ ୪ଶହରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ରାଲିରେ ନୂଆ ବସଷ୍ଟାଣ୍ଡ ନିକଟରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସରକାର ସେମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବ ପାଇଁ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଏହି ସଭାରେ ସଂଗଠନର ଜିଲ୍ଲା ସଭାପତି ପ୍ରଭାତୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ, ରାଜ୍ୟ ଉପସଭାନେତ୍ରୀ ବନିତାଞ୍ଜଳୀ ଦାସ, କୋଷାଧ୍ୟକ୍ଷା କୁଞ୍ଜଲତା ଦାସ, ଭାରତୀୟ ମଜଦୁର ସଂଘର ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷଣ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର, ଭାରତୀୟ ମଜଦୁର ସଂଖର ଜିଲ୍ଲା ସଂପାଦକ ଅକ୍ଷୟ ରାଉତରାୟ, ସଭାପତି ପାର୍ଥସାରଥୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହାପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିଲେ। ଏହି ସ୍ମାରକପତ୍ରରେ ୨୦୧୮ ଆନ୍ଦୋଳନ ବେଳେ ବହିଷ୍କୃତ କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଇପିଏଫ୍, ଇଏସ୍ଆଇ ଓ ଗ୍ରାଚୁଏଟି ପ୍ରଦାନ କରିବା, ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ୫ ହଜାରଟଙ୍କା ପେନସନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ ଦେବା, ଅଭିଜ୍ଞତା ଓ ଯୋଗ୍ୟତା ଭିତ୍ତିରେ ପ୍ରାକ୍-ପ୍ରାଥମିକ ଶିକ୍ଷୟିତ୍ରୀର ମାନ୍ୟତା ପ୍ରଦାନ କରିବା ଆଦି ୧୪ଟି ଦାବି ରହିଛି। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ଜିଲ୍ଲା ସମ୍ପାଦିକ ସରସ୍ୱତୀ ବଳିଆରସିଂହ, କୋଷାଧ୍ୟକ୍ଷ ମନ୍ଦାକିନୀ ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରଭାତୀ ମଙ୍ଗରାଜ, ଡଲି ରାଉତରାୟ, ସୂର୍ଯ୍ୟମଣି ମିଶ୍ର, ନମିତା ପ୍ରଧାନ, ରିନି ଦେଈ, କୃଷ୍ଣାକୁମାରୀ ବେହେରା, ସୌମ୍ୟସ୍ମିତା ସୁନ୍ଦରାୟ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Khordha-zilla-anganwadi-karminka-bikhyobha.jpg)