ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା: କୁତ୍ରା ବ୍ଲକ କନ୍ଦେଇମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତେଲିଘନାସ୍ଥିତ ଜେଏସଡବ୍ଲ୍ୟୁ ଶିବା ସିମେଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଓ ପୂର୍ତ୍ତ ରାସ୍ତାରେ କମ୍ପାନିର ପରିବହନ ବନ୍ଦ ଦାବିରେ ସୋମବାର ସକାଳୁ ଖୁଟକାଟି ବିକାଶ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା। ମଞ୍ଚ ନେତୃତ୍ବରେ ଶହଶହ ଲୋକେ କାରଖାନାରୁ କୁତ୍ରା ରାଜ୍ୟ ରାଜପଥ-୧୦କୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ କମ୍ପାନିର ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଶିଳ୍ପ ସଂସ୍ଥାରେ କୁତ୍ରା ବ୍ଲକର ୮୦ ପ୍ରତିଶତଙ୍କୁ ନିଯୁକ୍ତି, ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧି, ସାଧାରଣ ନାଗରିକଙ୍କୁ ନେଇ ପାରିପାର୍ଶ୍ବିକ କମିଟି ଗଠନ, କୁତ୍ରା ବ୍ଲକର ଭେଣ୍ଡର ଓ ଠିକାଦାରଙ୍କୁ ଅଗ୍ରାଧିକାର ଏବଂ ଖତକୁରବାହାଲରୁ କୁତ୍ରା ଦେଇ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାରେ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ଲକ, କୃଷି, ତହସିଲ କାର୍ୟ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ଦୋକାନବଜାର ଥିବାରୁ ସେ ରାସ୍ତା ଦେଇ କମ୍ପାନିର ପରିବହନ ବନ୍ଦ ପାଇଁ ମଞ୍ଚ ଦାବି କରିଥିଲା। ଏହିକ୍ରମରେ ପ୍ରଶାସନର ଅଧ୍ୟକ୍ଷତାରେ କମ୍ପାନି ସହ ଆଲୋଚନା କରିବାକୁ ମଞ୍ଚ ବହୁବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନନେବା ଓ କମ୍ପାନି ପରିବହନରେ ବାହାର ସଂସ୍ଥାକୁ ନିୟୋଜିତ କରିଥିବା ଅଭିଯୋଗ ନେଇ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ମଞ୍ଚ ସଭାପତି ଅଗଷ୍ଟିନ ମିଞ୍ଜ ପ୍ରକାଶ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ପରିବହନ ବାଧାପ୍ରାପ୍ତ ହେବାରୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଓ କୁତ୍ରା ପୁଲିସ ଆନ୍ଦୋଳନସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପରେ ଏକ ପ୍ରତିନିଧି ଦଳ ସହ ଦାବି ସମ୍ପର୍କରେ ଆଲୋଚନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରସ୍ତାବ ଦେଇଥିଲେ। କୁତ୍ରା ଥାନାବରେ ଏ ନେଇ ଆଲୋଚନା ହୋଇଥିଲା। ୮୦ ପ୍ରତିଶତ ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନୟନ କମିଟି ଗଠନ, କୁତ୍ରା ବ୍ଲକର ଭେଣ୍ଡରଙ୍କୁ ପ୍ରାଥମିକତା ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା।

Advertisment

ଏହାପରେ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ପ୍ରଶାସନିକ ଅଧିକାରୀ, କମ୍ପାନି ଅଧିକାରୀ ଏବଂ ମଞ୍ଚ କର୍ମକର୍ତ୍ତା, ଲୋକ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। କର୍ମ ନିଯୁକ୍ତି କମିଟିରେ ମଞ୍ଚ ସଭାପତି ଅଗଷ୍ଟିନ ମିଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାରାମ ମିଞ୍ଜ, ୱାର୍ଡସଭ୍ୟ ଅଜୟ ହେସ ଓ ଜୁନାସ ଲୁଗୁନ, ସମିତିସଭ୍ୟ ପ୍ରସନ୍ନ ବାଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ସାଙ୍କୁ ରଖାଯାଇଥିବା ବେଳେ ପାରିପାର୍ଶ୍ବିକ ଉନ୍ନୟନ କମିଟିରେ ମଞ୍ଚ ଉପସଭାପତି ଦେବାନନ୍ଦ ଲାକଡା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ସୁନ୍ୟାନୀ, ଅର୍ଜୁନ ଜୟପୁରିଆ, ସୁକାନ୍ତୀ ମାଝୀ, ନିରୁପମା ମାଝୀ, ତରଣୀସେନ ବରିହା, ପ୍ରଫୁଲ୍ଲ ସିଂ, ସୋମ୍ବର ଏକ୍କାଙ୍କୁ ମନୋନୀତ କରାଯାଇଛି। ଏହାଛଡ଼ା ପୂର୍ତ୍ତ ରାସ୍ତାରେ ପରିବହନ ବନ୍ଦ ଦାବି ଉପରେ ଆଲୋଚନା କରି କମ୍ପାନି ବିକଳ୍ପ ରାସ୍ତା ପାଇଁ ୨ ବର୍ଷ ସମୟ ମାଗିଥିଲା। ପ୍ରଶାସନରେ ପ୍ରତିଶ୍ରୁତି ପରେ ଅପରାହ୍ନ ୨ଟାରେ ମଞ୍ଚ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲା। ମଞ୍ଚ ସଭାପତି ଅଗଷ୍ଟିନ ମିଞ୍ଜ, ସାଧାରଣସମ୍ପାଦକ ସୁରେଶ ତରୱାର, ଉପସଭାପତି ଦେବାନନ୍ଦ ଲାକଡା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ସୁନ୍ୟାନୀ, ଗଙ୍ଗାରାମ ମିଞ୍ଜ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ସା, ଜୁନାସ ଲୁଗୁନ, ପୁର୍କାପାଲି ସରପଞ୍ଚ ସୁକାନ୍ତି ମାଝୀ, ରଜାବସା ସରପଞ୍ଚ ନିରୁପମା ମାଝୀ, ରଜାବସା ସମିତି ସଭ୍ୟ ପ୍ରସନ୍ନ ବାଗ, ନରସିଂହ ମିଞ୍ଜ, ପ୍ରଫୁଲ୍ଲ ସିଂହ, ଅର୍ଜୁନ ଜୟପୁରିଆ, ଅଜୟ ହେସଙ୍କ ସମେତ ମଞ୍ଚର ଅନ୍ୟ କର୍ମକର୍ତ୍ତା ଆନ୍ଦୋଳନର ନେତୃତ୍ବ ନେଇଥିଲେ।