ସମବାୟ ବ୍ୟାଙ୍କ ଜାଲିଆତି ମାମଲା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କ୍ଷତିଗ୍ରସ୍ତଙ୍କ ଧାରଣା

ପୁଣି ୭ ଦିନ ସମୟ ଗଡ଼ାଇ ଫେରାଇଦେଲା ପ୍ରଶାସନ

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ଶାଖାରେ ହିତାଧିକାରୀଙ୍କ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ମାମଲାରେ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଆଜି କ୍ଷତିଗ୍ରସ୍ତ ହିତାଧିକାରୀ ମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଆଜି ପୁଣିଥରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ୭ ଦିନ ସମୟ ଗଡ଼ାଇ ଦେଇଛି। ଦୀର୍ଘ ଦଶନ୍ଧୀ ଧରି ଯେଉଁ ବ୍ୟାଙ୍କ ଉପରେ ବିଶ୍ୱାସ ରଖି ନିଜରାଉତପଡ଼ାର ଗରିବ ଖଟିଖିଆ, କ୍ଷୁଦ୍ର କୁଟୀରଶିଳ୍ପୀ, ମୁଲିଆ ନିଜର ପେଟ କାଟି ଟଙ୍କା ସଂଚୟ କରିଥିଲେ। ସେହି ବ୍ୟାଙ୍କର କର୍ମଚାରୀମାନେ ସେମାନଙ୍କ ବିଶ୍ୱାସରେ ବିଷ ଦେଇ ହଜାର ନୁହେଁ କି ଲକ୍ଷେ ଦେଢ଼ କୋଟି ଟଙ୍କା ହଡ଼ପ କରିନେଇଛନ୍ତି।

ଏହି ଘଟଣା ଫେବ୍ରୁଆରୀ ମାସରେ ଜଣାପଡ଼ିବା ପରେ ବ୍ୟାଙ୍କ କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରିଆସିଛି। ଏପରିକି, ଅପ୍ରିଲ୍ ପ୍ରଥମ ସପ୍ତାହରେ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବ୍ୟାଙ୍କର ପରିଚାଳକ ହିସାବରେ ବ୍ୟାଙ୍କ ସିଇଓଙ୍କୁ ଏହି ମାମଲାର ତଦନ୍ତ ନିମନ୍ତେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାକୁ ଅନୁରୋଧ କରି ପତ୍ର ଲେଖିବାକୁ ନିର୍ଦେଶ ଦେଇଥିଲେ। ସେହି ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବଶୀଘ୍ର ହିତାଧିକାରୀଙ୍କ ଟଙ୍କା ହଡ଼ପରେ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଇ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରାଯିବ। ଏହାପରେ ଅର୍ଥନୈତିକ ଅପରାଧ ଶାଖାକୁ ପତ୍ର ଲେଖି ବ୍ୟାଙ୍କ କର୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି। କେବଳ ଏହାନୁହେଁ ଆଇନାନୁସାରେ, ଟଙ୍କା ହଡ଼ପକାରୀ ବୁଦ୍ଧିରାମ ଦାସ, ଶକୁନ୍ତଳା ଓଝା ଓ ପ୍ରସନ୍ନ କୁମାର ତୋଷଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା କଥା କିନ୍ତୁ ବ୍ୟାଙ୍କ କର୍ତୃପକ୍ଷଙ୍କ ପକ୍ଷରୁ ଏଭଳି କୌଣସି ମାମଲା ରୁଜୁ କରାଯାଇନାହିଁ। ଏହାକୁ ନେଇ ଉକ୍ତ ଦୁର୍ନୀତିରେ ବ୍ୟାଙ୍କ କର୍ତୃପକ୍ଷଙ୍କ ସମ୍ପୃକ୍ତି ଆଡ଼କୁ ମଧ୍ୟ ହିତାଧିକାରୀ ମାନେ ଅଙ୍ଗୁଳି ଉଠାଇଛନ୍ତି।

ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ହୋଇଥିବା ୧୦୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୬୦ଜଣ ହିତାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ହିତାଧିକାରୀଙ୍କ ସହ ସାକ୍ଷାତ କରି କାହିଁକି ମାମଲା ରୁଜୁ କରାଯାଇନାହିଁ ଓ ହିତାଧିକାରୀଙ୍କ ଟଙ୍କା ଫେରାଇବା ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜିଲ୍ଲାପାଳଙ୍କୁ ଜଣାଇ ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗତ ପ୍ରାୟ ୩ ମାସଧରି ରାଉତପଡ଼ା ଶାଖାର କ୍ଷତିଗ୍ରସ୍ତ ହିତାଧିକାରୀ ମାନେ ୪ଥରରୁ ଉର୍ଦ୍ଧ୍ବ ନିଜର କାମଧନ୍ଦା ଛାଡ଼ି ଖୋର୍ଦ୍ଧା ଦୌଡ଼ି ପ୍ରତିଶ୍ରୁତି ପାଇ ଫେରୁଥିବା ବେଳେ ଆଜି ପୁଣି ୭ ଦିନ ଗଡ଼ାଇବା ଘଟଣାରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ପରିବାର ସଦସ୍ୟ ସହ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର