ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଧାରଣା 

ଖୋର୍ଦ୍ଧା: ନବ ନିର୍ମାଣ କୃଷକ ସଂଘ ଖୋର୍ଦ୍ଧା ଶାଖା ପକ୍ଷରୁ ଆଜି ଧାନମଣ୍ଡିରେ ଅବ୍ୟବସ୍ଥା, ଏମ୍ଏସ୍ପି ଆଦି ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଧରି ଧାରଣା ଦେଇଛନ୍ତି। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନବନିର୍ମାଣ କୃଷକ ସଂଘର ସଦସ୍ୟମାନେ ଏକ ଟ୍ରାକ୍ଟରରେ ଧାନବସ୍ତା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ସେଠାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାରଣା ଓ ବିକ୍ଷୋଭ ନେଇ ସଂଗଠନର ଜିଲ୍ଳା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ କହିବା କଥା ହେଲା ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକ ତୁଳନାରେ ଖୋର୍ଦ୍ଧା ଜିଲ୍ଳାରେ ଚାଷୀଙ୍କୁ ଧାନ ସଂଗ୍ରହ କରିବାରେ ସବୁଠାରୁ ପଛରେ ରହିଛି।

ଯେଉଁ ଚାଷୀମାନେ ଧାନ ନେଇ ମଣ୍ଡିକୁ ଯାଉଛନ୍ତି ସେମାନଙ୍କ ଠାରୁ କ୍ୱିଂଟାଲ୍ ପିଛା ୫ରୁ ୭ କିଲୋଗ୍ରାମ କାଂଟଛାଂଟ କରାଯାଉଛି। ଜିଲ୍ଳାରେ ହଜାର ହଜାର କ୍ୱିଣ୍ଟାଲ ଧାନ ସୋସାଇଟି ଗୋଦାମରେ ପଡ଼ିରହିଛି। ମିଲରମାନେ ଧାନ ଉଠାଉନାହାନ୍ତି। ଧାନ ସଂଗ୍ରହ କମାଇବା ପାଇଁ ଚଞ୍ଚକତା କରି ଚାଷୀଙ୍କୁ ପଞ୍ଜୀକରଣରୁ ବାଦ୍ ଦିଆଯାଇଛି। ଏହି ସବୁ ସମସ୍ୟାର ସମାଧାନ ଦାବିରେ ଆଜିର ଧାରଣା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ସାହୁ, ଦିଲିପ କୁମାର ପଣ୍ଡା, ପ୍ରକାଶ ରଞ୍ଜନ ସାହୁଙ୍କ ସମେତ ସଂଗଠନର ସହ ସଂଯୋଜକ, ବୋଲଗଡ଼ ବ୍ଲକ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର