ଖୋର୍ଦ୍ଧା: ନିକଟରେ ବିଜେବି କଲେଜରେ ଛାତ୍ରଙ୍କ ଉପରେ ଅଣଛାତ୍ରଙ୍କ ଆକ୍ରମଣ ନୂଆ ନୁହେଁ ଏହା ପୂର୍ବରୁ ମହର୍ଷି ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ମଧ୍ୟ ଅନୁରୂପ ଆକ୍ରମଣ ଘଟିଛି। ରାଜ୍ୟରେ ଆଇନଶୃଙ୍ଖଳା ଓ ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଏଭଳି ଅଭିଯୋଗ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ଏବିଭିପିର କର୍ମକର୍ତ୍ତା ଓ ସଦସ୍ୟମାନେ ହାତରେ ବ୍ୟାନର, ପ୍ଲାକାର୍ଡ ଆଦି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପୋଡ଼ିଥିଲେ। ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ କହିବାନୁସାରେ, ରାଜ୍ୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ଭାଷାରେ ତ୍ରୁଟି, ମାଟ୍ରିକ୍ ପରୀକ୍ଷାରେ ୧୫ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା, ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ, ହୋଷ୍ଟେଲ୍ ଆଦିରେ ମହିଳାଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା, ବିଶ୍ୱକପ୍ ହକି ସମୟରେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣଦୁଷ୍କର୍ମ କରିବା ଆଦି ଘଟଣାରେ ରାଜ୍ୟ ସରକାରଙ୍କ ଅପରାଗତା ସ୍ପଷ୍ଟ ହୋଇଛି।

Advertisment

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ସହ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଯଦି ଏହି ସମସ୍ତ ସମସ୍ୟା ସମାଧାନରେ ରାଜ୍ୟ ସରକାର ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ ଏବିଭିପି ପକ୍ଷରୁ ବଡ଼ଧରଣର ଛାତ୍ର ଆନ୍ଦେ‌ାଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ସାଗର ପରିଡ଼ା, ଜିଲ୍ଲା ସହ ସଂଯୋଜିକା ଦୀପ୍ତିମୟୀ ପ୍ରତିହାରୀ, ବିଶ୍ୱଜିତ ଦାସ, ଶୈଳେଶ ସାମନ୍ତରାୟ, ଅଂଶୁମାନ ଆଚାର୍ଯ୍ୟ, ବିଭୂ ପ୍ରକାଶ, ସରସ୍ୱତୀ ଚିନାରା, ଶୁଭମ ସାହୁ ପ୍ରମୁଖଙ୍କ ସହ ଅନ୍ୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।