ଜୟପୁର: ମେ’ ୯ ଫାଶୀବାଦ୍ ଉପରେ ମାନବତାର ବିଜୟ ଦିବସ ଦିନ ମହିଳା କୁସ୍ତି ଖେଳାଳିଙ୍କୁ ନ୍ୟାୟ, କୋଟିଆ ପ୍ରସଙ୍ଗ, କାଗଜକଳ, ୫ହଜାର ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁରରେ ସ୍ଥାପନ ପ୍ରସଙ୍ଗକୁ ନେଇ ସିପିଆଇ କୋରାପୁଟ ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ଶୁଶାନ୍ତ ଅଧିକାରୀ, ସତ୍ୟବ୍ରତ ନନ୍ଦ, ନିତ୍ୟାନନ୍ଦ ପାତ୍ର ପ୍ରମୁଖ ନେତୃତ୍ବ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣାରେ ବସିଥିବା ଅଲମ୍ପିକ୍ ମେଡାଲ୍ ଜିଣିଥିବା ମହିଳା କୁସ୍ତି ଖେଳାଳି ମାନଙ୍କ ସମର୍ଥନରେ ଅଭିଯୁକ୍ତ ବିଜେପି ସାଂସଦ ବ୍ରିଜ ଭୁଷଣ ସରଣ ସିଂହକୁ ଗିରଫ କରିବା ଓ ପଦବୀରୁ ହଟେଇବା ପାଇଁ ଏମାନେ ଦାବି କରିଥିଲେ। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ରୋକିବା ଏବଂ ଏ ସମଗ୍ର ଅଞ୍ଚଳ ଓଡ଼ିଶାର ବୋଲି ସଂସଦରେ ଘୋଷଣା କରିବା ପାଇଁ ଆଇନ ପାରିତ କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପାର୍ଲିଆମେଣ୍ଟ ସୀମା ନିର୍ଦ୍ଧାରଣ କମିଟି ଦ୍ୱାରା ଏହାର ଫଇସଲା କରାଯାଉ ବୋଲି ଦାବି କରାଯାଇଥିଲା।

Advertisment

କାଗଜ କଳକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ସହ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରାଯାଉ ବୋଲି ଦାବି କରାଯାଇଥିଲା। ଶ୍ରମିକ ମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍ , ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ପେନସନ, ଚାରିବର୍ଷ ହେଲାଣି ଗ୍ରାଚ୍ୟୁଇଟି ହୋଇନଥିବାରୁ ତୁରନ୍ତ କାର୍ଯ୍ୟକାରୀ କରିବା, କାମକରୁଥିବା ଶ୍ରମିକ ମାନଙ୍କୁ ଅଧା ଦରମା ବଦଳରେ ପୁରା ଦରମା ଦେବା, ଠିକା ଶ୍ରମିକ ଓ ସୁରକ୍ଷାକର୍ମୀ ମାନେ ୪ ରୁ ୫ମାସରେ ଥରେ ଦରମା ପାଉଥିବାରୁ ଏହାକୁ ନିୟମିତ କରାଯାଉ ବୋଲି ଦାବି କରିଥିଲେ। ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରି ସ୍ଥାନୀୟ ଆଶାୟୀଙ୍କୁ ଅଗ୍ରାଧିକାର ଦେବା, ଜୟପୁରରେ ଲାଇସେନ୍ସ ପ୍ରଦାନ ପାଇଁ ଆରଟିଓ ଅଫିସ ଶାଖା କାର୍ଯ୍ୟାଳୟ ଖୋଲିବା, ବାର୍ଦ୍ଧକ୍ୟ ଭତ୍ତା ମାସିକ ପାଞ୍ଚ ହଜାର ଟଙ୍କା ଦେବା ଆଦି ଦାବିକୁ ନେଇ ଏମାନେ ବିକ୍ଷୋଭ କରିଥିଲେ।