ବ୍ୟାସନଗର: ବ୍ୟାସନଗର ଚାନ୍ଦମାଠାରେ ଥିବା ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମସୁଧା ଚାଲିଛି। ଚାନ୍ଦମାଠାରେ ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଏହା କାର୍ଯ୍ୟ କରିଆସୁଥିଲା। ଗତ କିଛି ଦିନ ହେବ ଏହି କାର୍ଯ୍ୟାଳୟକୁ ଅନ୍ୟତ୍ର ଉଠାଇ ନେବାକୁ ମସୁଧା ହେଉଥିବା ଜଣାପଡ଼ିଥିଲା। ଖବର ପାଇବା ପରେ କୋରେଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏକ ବୈଠକରେ ଉପସଭାପତି ଆଲୋକ ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ନିତ୍ୟାନନ୍ଦ ମହାଳିକ, ଜିତୁ ବେହେରା ଯୋଗଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଭୁବନେଶ୍ୱରଠାରେ ଥିବା ରାଜ୍ୟ ହସ୍ତଶିଳ୍ପ କାର୍ଯ୍ୟାଳୟକୁ ଛାଡ଼ିଦେଲେ ଯାଜପୁରରୋଡ ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିବା ସେମାନେ କହିଥିଲେ। ରାଜନୈତିକ ଅଭିସନ୍ଧି ରଖି ଏହି ହସ୍ତଶିଳ୍ପ କାର୍ଯ୍ୟାଳୟକୁ ସ୍ଥାନାନ୍ତର କଲେ ସଂଗ୍ରାମ ସମିତି ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ଯାଜପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି।