ସୀମା ବିବାଦକୁ ନେଇ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଘେରାଉ

ବୈପାରିଗୁଡା: ସୀମା ବିବାଦକୁ ନେଇ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଘେରାଉ କଲେ ମୁର୍ଜା ଗ୍ରାମବାସୀ। ମିଳିଥିବା ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଲେଞ୍ଜା ଏବଂ ଲମତାପୁଟ ବ୍ଲକର ମୁର୍ଜା ଦୁଇଟି ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଜମି ଜମାକୁ କେନ୍ଦ୍ର କରି ଉଭୟ ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଲେଞ୍ଜା ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲେଞ୍ଜା ଗ୍ରାମର ଲୋକେ ନିଜ ବ୍ଲକର ସୀମା ଡେଇଁ ଲେଞ୍ଜା ଗ୍ରାମର ସୀମା ଭିତରକୁ ଜବରଦସ୍ତ ପଶିଆସି ଚାଷ ଜମି ପ୍ରସ୍ତୁତ କରି ନିଜ ଅକ୍ତିଆରକୁ ନେବା ପାଇଁ ବାରମ୍ବାର ଉଦ୍ୟମ ଜାରି ରଖିଛନ୍ତି। ସେମାନଙ୍କୁ ବାରମ୍ବାର ମନା କରିବା ସତ୍ତ୍ବେ ସେମାନେ ବେଖାତିର କରି ଲେଞ୍ଜା ଗ୍ରାମର ଜମି ହଡ଼ପ କରି ଚାଲିଛନ୍ତି। ଏହାକୁ କେନ୍ଦ୍ରକରି ଉଭୟ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଆଜି ବ୍ଲକର ସୀମା ଏବଂ ଜମି ଚିହ୍ନଟ ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବୈପାରିଗୁଡା ଅତିରିକ୍ତ ତହସିଲଦାର ସଂଜୀବ ସାହୁ , ରାଜସ୍ୱ ପରିଦର୍ଶକ, ରାଜସ୍ୱ ନୀରିକ୍ଷକ ତଥା କର୍ମଚାରୀଙ୍କ ସହ ବିବାଦୀୟ ଜମି ମାପ ଏବଂ ଚିହ୍ନଟ ପାଇଁ ଲେଞ୍ଜାରେ ପହଞ୍ଚିଥିଲେ। ସେହିପରି ଅନ୍ୟ ଦିଗରେ ଲମତାପୁଟ ତହସିଲର ଅତିରିକ୍ତ ତହସିଲଦାରଙ୍କ ସମେତ ରାଜସ୍ବ କର୍ମଚାରୀ ମଧ୍ୟ ଆସି ପହଞ୍ଚିଥିଲେ।

ତେବେ ଜମି ଏବଂ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ମୁର୍ଜା ଗ୍ରାମର ଗ୍ରାମବାସୀ ମାନେ ଖଣ୍ଡା, ବର୍ଛା ଭଳି ବିଭିନ୍ନ ମାରଣାସ୍ତ୍ର ଧରି ଉଭୟ ତହସିଲର ରାଜସ୍ବ କର୍ମଚାରୀ ମାନଙ୍କୁ ଘେରାଉ କରିଥିଲେ। ବୈପାରିଗୁଡା ଅତିରିକ୍ତ ତହସିଲଦାର ଶ୍ରୀ ସାହୁ ସେମାନଙ୍କୁ ବୁଝାସୁଝା କରିବା ପରେ ବି ମୁର୍ଜା ଗ୍ରାମବାସୀ କିଛି ବୁଝିବା ପାଇଁ ପ୍ରସ୍ତୁତ ନଥିଲେ। ଘଟଣାଟି ଉତ୍ତେଜନା ପୂର୍ଣ୍ଣ ହୋଇଥିବାରୁ ଉଭୟ ତହସିଲର ରାଜସ୍ବ କର୍ମଚାରୀ ଭୟଭୀତ ହୋଇ କାର୍ଯ୍ୟ ବନ୍ଦ କରିଥିଲେ। ତେବେ ଶ୍ରୀ ସାହୁ କୈାଣସି ପ୍ରକାରେ ଫୋନ୍ ଯୋଗେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ବୈପାରିଗୁଡା ତହସିଲଦାର ପୋଲିସର ସାହାଯ୍ୟ ପ୍ରାର୍ଥନା କରିବାରୁ ଜୟପୁର ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ଥାନା ଡିଏସପି ବିରଞ୍ଚିନାରାୟଣ ଜଗତ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘଦିନ ଧରି ସୀମା ଏବଂ ଜମି ବିବାଦ ଦିନକୁ ଦିନ ଜଟିଳ ହେବାକୁ ଯାଉଥିବା ବେଳେ ଆଜିର ଘଟଣା ଭିନ୍ନ ରୂପ ଧାରଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର