ସପ୍ତାହେ ମଧ୍ୟରେ ଉଦ୍‌ଘାଟନ ହେବ ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ 

ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନା ପରିସରରେ ପିଏସ୍‌ଏ ଅକ୍ସିଜେନ୍‌ ପ୍ଲାଣ୍ଟ୍‌କୁ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରାଯିବ। କିଛିଦିନ ତଳେ କଲିକତାର ଏକ ଟିମ୍‌ ଆସି ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରି ଫେରିଛନ୍ତି। କାର୍ଯ୍ୟକ୍ଷମ ହେଲେ ଅକ୍ସିଜେନ୍‌ ପାଇଁ ଆଉ ବାହାର କମ୍ପାନି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କାରଣ ଏଠାରେ ହିଁ ଅକ୍ସିଜେନ୍‌ ପ୍ରସ୍ତୁତ କରାଯିବ । ଏହି ପ୍ଲାଣ୍ଟ୍‌ରେ ଚାରୋଟି ୟୁନିଟ୍‌ର ବ୍ୟବସ୍ଥା କରାଯାଇଛି। ଦୁଇଟି ପିଏସ୍‌ଓ, ଗୋଟିଏ ଏଲ୍‌ଏମ୍‌ଓ ଏବଂ ଅନ୍ୟଟି ମେକୋଭର ୟୁନିଟ୍‌ ରହିଛି ।

ଏହି ପ୍ଲାଣ୍ଟ୍‌ରୁ ବିଭିନ୍ନ ୱାର୍ଡକୁ ଅକ୍ସିଜେନ୍‌ ପହଞ୍ଚାଯିବ। ଲିକ୍ୟୁଇଡ୍‌ ବାହାରୁ ଆସିଲା ପରେ ଏଠାରେ ସ୍ଥାପନ ହୋଇଥିବା ଅକ୍ସିଜେନ୍‌ ଟାଙ୍କିରେ ଭର୍ତ୍ତି କରାଯିବ। ଏହି ଅକ୍ସିଜେନ୍‌ ଟାଙ୍କିର ସଂରକ୍ଷଣ କ୍ଷମତା ୧୩ କେଏଲ୍‌ ହୋଇଥିବା ଜଣାଯାଇଛି। ଭର୍ତ୍ତି ପରେ ଏହାକୁ ଭେପରାଇଜ୍‌ କରାଯାଇ ଆବଶ୍ୟକ ମୁତାବକ ପ୍ରତ୍ୟେକ ୱାର୍ଡକୁ ସପ୍ଲାଏ ହେବ। ତେବେ ବହୁଦିନ ଧରି ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାଲେଶ୍ବରବାସୀ ଦାବି କରିଆସୁଥିଲେ। ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେବା ନେଇ ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୪ ନମ୍ବର ସ୍ଥାନରେ ବାଲେଶ୍ବର ରହିବ। ଆସନ୍ତା ସପ୍ତାହେ ମଧ୍ୟରେ ପ୍ଲାଣ୍ଟ ଉଦ୍‌ଘାଟନ କରାଯିବା ନେଇ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ କହିଛନ୍ତି।

ସମ୍ବନ୍ଧିତ ଖବର