ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସିଜିମାଳି ବକ୍ସାଇଟ ଖଣି ଖନନ ନେଇ ଆଜି ସୁଙ୍ଗେର ଗ୍ରାମରେ ଜନଶୁଣାଣି ହୋଇଥିଲା।ଏହି ଜନଶୁଣାଣିରେ ପ୍ରଶାସନ ତରଫରୁ ଏଡିଏମ ରାମେଶ୍ବର ପ୍ରଧାନ ଯୋଗ ଦେଇଥିବା ବେଳେ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଯୋଗ ଦେଇଥିଲେ।ଜନଶୁଣାଣି ଆରମ୍ଭ ହେବା ମାତ୍ରେ ହଜାର ହଜାର ଲୋକ ଶୁଣାଣି ସ୍ଥଳକୁ ଆସିଥିଲେ। ପ୍ରଥମେ ଶାନ୍ତିରେ ସମସ୍ତେ ବସିଥିବା ବେଳେ ପର ମୁହୂର୍ତ୍ତରେ ଭିଡ ପ୍ରବଳ ହେବାରୁ ଠେଲାପେଲା ହୋଇଥିଲା। କିନ୍ତୁ ଲୋକେ ଯେତେବେଳେ ନିଜ ମତ ରଖିଲେ ସେତେବେଳେ ସବୁ ଶାନ୍ତିରେ ବସି ଲୋକଙ୍କ ବକ୍ତବ୍ୟକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।ତେବେ ପ୍ରଥମେ ବିପକ୍ଷବାଦୀମାନେ ବିଭିନ୍ନ ଗ୍ରାମରୁ ଆସି ଜନଶୁଣାଣିରେ ଖଣି ଖନନ ବିରୋଧରେ ଗର୍ଜିଥିଲେ। ଖଣି ଖନନ କରିବାକୁ ଦେବୁ ନାହିଁ ବୋଲି ପାଟି କରିଥିଲେ। ଏନେଇ ବିପକ୍ଷବାଦୀ ଏକ ଦାବି ପତ୍ର ମଧ୍ୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସେହିପରି ସପକ୍ଷବାଦୀମାନେ ମଧ୍ୟ ଏକ ଲିଖିତ ଦାବି ପତ୍ର ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରିଥିଲେ। ସିଜିମାଳି ଖଣି ଖନନ ହେଉଥିବା ପ୍ରାୟ ୪୦ ଗ୍ରାମର ଲୋକେ ରୁଣ୍ଡ ହୋଇଥିଲେ।
ମୁଖ୍ୟତଃ ୧୨ ଖଣ୍ଡ ଗ୍ରାମର ସୁଙ୍ଗେର ଅଂଚଳରେ ପ୍ରଭାବିତ ହେଉଥିବାରୁ ଏହି ଅଂଚଳର ସପକ୍ଷବାଦୀ ଓ ବିପକ୍ଷବାଦୀମାନେ ନିଜ ନିଜ ମତ ରଖିଥିଲେ। ଶୁଣାଣି ସ୍ଥଳଟି ହୋହଲ୍ଲାରେ ପ୍ରକମ୍ପିତ ହୋଇଉଠିଥିଲା।ସମୟ ସରିବା ପରେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଜନଶୁଣାଣୀର ସମୟସୀମା ସମାପ୍ତ ହୋଇଥିବା ଘୋଷଣା କରି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ।ପ୍ରକାଶ ଥାଉକି ରାୟଗଡା ଜିଲ୍ଲାର କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ସୀମାବର୍ତ୍ତୀ ଅଂଚଳରେ ବେଦାନ୍ତ କମ୍ପାନୀ ୧୫୪୯.୦୨୨ ସ୍ଥାନରେ ବକ୍ସାଇଟ ଖଣି ଖନନ କରିବ।ପ୍ରସ୍ତାବିତ ୯.୦୦ ଏମଟିପିଏ ବକ୍ସାଇଟ ଉତ୍ପାଦନ କରିବ।ଏଥିସହ ୦.୧୮ ଏମଟିପିଏ ଟପ ସଏଲ,୭.୪୦ ଏମଟିପିଏ ବର୍ଜ୍ୟ,୧.୪୨ ଏମଟିପିଏ ସବଗ୍ରେଡ କରିବା ସହିତ ୨x୧୨୦୦ ଟିପିଏଚ କ୍ଷମତା ବିଶିଷ୍ଟ କ୍ରସର ନିମନ୍ତେ ଏହି ଜନଶୁଣାଣୀ ହୋଇଥିଲା।
ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କୁ ପଚାରିବାରୁ ସେ ଆଜି ଜନଶୁଣାଣୀ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିବା କହିଥିଲେ।ସେଭଳି କୌଣସି ଲ ଏଣ୍ଡ ଅଡର ଭଳି ପରିସ୍ଥିତି ସୃଷ୍ଟି ହୋଇ ନାହିଁ।ଜନଶୁଣାଣୀ ସମୟସୀମା ମଧ୍ୟରେ ସମାପ୍ତ ହୋଇଛି।ଅନ୍ୟଦିଗରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମନ୍ତରାୟ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡର ଅଧିକାରୀ ଲୋକଙ୍କ କଥା ନଶୁଣି ଜନଶୁଣାଣୀ ବାତିଲ ହେଲା ବୋଲି ଘୋଷଣା କଲେ ବୋଲି ଅଭିଯୋଗ କରିଛନ୍ତି।ପୁଲିସ ଓ କମ୍ପାନୀର ଗୁଣ୍ଡାଙ୍କୁ ଭୟ ନକରି ନିଜର ମତ ଜନଶୁଣାଣୀରେ ରଖିଥିବା ସେ କହିଥିଲେ।ଖଣି ଖନନକୁ ନିଷେଧ କରାଯାଉ ବୋଲି ସେ ଦାବି କରିଛନ୍ତି।ଖଣି ଖନନକୁ ବିରୋଧ କରିଥିବାରୁ ସେ କାଶୀପୁର ଅଂଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।