ମାଲକାନଗିରିର ଦୁର୍ଗମ ମାଓ ପ୍ରବଣ ଅଞ୍ଚଳରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କଲା ବିଏସଏଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଭୁକ୍ତ ନାକାମାମୁଡି ପଞ୍ଚାୟତର ଦୁର୍ଗମ ଡାଇକ-୩ ଗ୍ରାମରେ ଆଜି ୮୮ ବିଏସଏଫ ବାଟାଲିୟନ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ବିନୋଦ ସାରୀନ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଏସଏଫର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ବୁଝାଇଥିଲେ।

ସୂଚନାଯୋଗ୍ୟ ଯେ ଏହି ଗ୍ରାମକୁ ନକ୍ସଲ ସଂପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇଯାଇଥିଲେ।ବିଏସଏଫ ଏହି ଅଂଚଳକୁ ନିଜ କବଜାକୁ ନେବା ପରେ ନକ୍ସଲ ଏହି ଅଂଚଳ ଛାଡି ଚାଲିଯାଇଥିଲେ।ଏବେ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁଛନ୍ତି । ଆଜି ଶତାଧିକ ଗ୍ରାମବାସୀ ଓ ଶିଶୁମାନେ ଏହି ଜନସଂପର୍କ ଶିବିରରେ ଉପସ୍ଥିତ ରହିଥିଲେ।ଆଖପାଖ ୧୪ଟି ଗ୍ରାମର ଯୁବକମାନଙ୍କୁ ନେଇ ୧୪ଟି ଟିମ ଗଠନ କରି ଏକ ଭଲିବଲ ଟୁର୍ଣ୍ଣଆମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ଣ୍ମାମେଣ୍ଟରେ ବିଜୟୀ ଦଳ ସହ ଅନ୍ୟ ତିନି ଦଳକୁ ମଧ୍ୟ ପୁରସ୍କୁତ କରାଯାଇଥିଲା।କିନ୍ତୁ ସମସ୍ତ ୧୪ଟି ଟିମକୁ ଭଲିବଲ ଏବଂ ନେଟ ପ୍ରଦାନ କରାଯାଇଥିଲା।ଏହି ଜନ ସଂପର୍କ ଶିବିରରେ ସମସ୍ତ ଗ୍ରାମବାସୀଙ୍କୁ ବିଏସଏଫ ତରଫରୁ ଶାଢୀ, ଲୁଙ୍ଗି, କଂସାବାସନ, ଗ୍ଲାସ,ପ୍ଲେଟ, ଛତା, ଟର୍ଚ୍ଚ ଲାଇଟ,ଫୁଟବଲ,ଭଲିବଲ,କ୍ରିକେଟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏଥିସହ ଗ୍ରାମବାସୀଙ୍କ ପାଇଁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ଅଂଚଳର ଲୋକେ ବିଏସଏଫ ଡାକ୍ତରଙ୍କୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲେ ।

ବିଏସଏଫ ଯବାନ ଏହି ଅଂଚଳକୁ ସୁରକ୍ଷା ଦେବାକୁ ଆସିଥିବା କହିଥିଲେ।ଲୋକଙ୍କ ସହ ଉତ୍ତମ ବୁଝାମଣା ସହ ଭଲ ସଂପର୍କ ରଖି ଏହି ଅଂଚଳକୁ ଆହୁରି ବିକାଶରେ ସହଯୋଗ କରିବେ।ନକ୍ସଲଙ୍କୁ ଗ୍ରାମବାସୀ ସମର୍ଥନ ନକରି ବିଏସଏଫ ଯବାନଙ୍କୁ ସେମାନଙ୍କର ଡ୍ୟୁଟିରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା। ନକ୍ସଲ ଯୋଗୁଁ ଏହି ଅଂଚଳର ବିକାଶ ହେଉନଥିବା କୁହାଯାଇଥିଲା।ଏବେ ବିଏସଏଫ ଚିତ୍ରକୋଣ୍ଡା ଅଂଚଳର ଯାନବାଇ,ହନ୍ତାଳଗୁଡା, ବଡପଡା, ଯଡାମ୍ବ, ଗୋରାସେତୁ ଏବଂ ଏବେ ଘନବେଡା ଠାରେ କ୍ୟାମ୍ପ  ପ୍ରତିଷ୍ଠା କରି ନକ୍ସଲଙ୍କୁ ବେକଫୁଟରେ ଠେଲି ଦେଇଛନ୍ତି।ଏବେ ସ୍ବାଭିମାନ ଅଂଚଳକୁ ପକ୍କା ରାସ୍ତା ମଧ୍ୟ ନିର୍ମାଣ ହେଉଛି । ରାଜ୍ୟ ସରକାରଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ ଏବେ ଏହି ଅଂଚଳରେ ଚାଲିବ।ଗ୍ରାମବାସୀ ମଧ୍ୟ ଆଗାମୀ ଦିନରେ ନକ୍ସଲକୁ ସମର୍ଥନ କରିବେ ନାହିଁ ବୋଲି ସଫା ସଫା ମନା କରିଥିଲେ।ଗ୍ରାମବାସୀଙ୍କର ମନ ଜିଣିବାରେ ବିଏସଏଫ ସଫଳ ହୋଇଥିଲେ । ଏଭଲି ପାହାଡିଆ ଦୁର୍ଗମ ଅଂଚଳକୁ କେବଳ ବିଏସଏଫ ହିଁ ପହଞ୍ଚିପାରିବ ବୋଲି କୁହାଯାଇଥିଲା।ଆଗାମୀ ଦିନରେ ମଧ୍ୟ ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ ବିଏସଏଫ ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରିବା ସହ ଏଭଳିଲ ଜନ ସଂପର୍କ ଶିବିର ଅନୁଷ୍ଠିତ କରିବ ବୋଲି କହିଛି।

 

ସମ୍ବନ୍ଧିତ ଖବର