୪ ଦିନ ଧରି ରାସ୍ତାକଡ଼ରେ ପଡ଼ିଥିବା ଅସହାୟ ଉଦ୍ଧାର

ଖୋର୍ଦ୍ଧା: ରୋଜଗାର ପାଇଁ ଠିକାଦାର ଜରିଆରେ ସୁଦୂର ପଶ୍ଚିମବଙ୍ଗର ପୁରୁଲିଆରୁ ଖୋର୍ଦ୍ଧା ଆସିଥିଲେ । କିନ୍ତୁ ହଠାତ୍ ଠିକାଦାର ଓ କାରଖାନା ମାଳିକଙ୍କ ମଧ୍ୟରେ ବିବାଦ ହେଲା । ସେ ନିଜର ରୋଜଗାର ହରାଇଲେ । କାରଖାନା ମାଲିକ ମେସରୁ ବାହାର କରିଦେଲେ । ନିକଟରେ ଯାହା ଟଙ୍କା ଥିଲା ସେତକ ତିନି-ଚାରିଦିନ ମଧ୍ୟରେ ଶେଷ ହୋଇଗଲା । ଏହାପରେ ଖୋର୍ଦ୍ଧା ଉପକଣ୍ଠ ଜାତୀୟ ରାଜପଥ ମୁକୁନ୍ଦପ୍ରସାଦ ବାଇପାସ୍ କଡ଼େ ଶୀତକାକରରେ ବସିରହିଲେ କାଳେ କେହି ସହାୟତା କରିବ । ଆଜି ଶୀତରେ ଥରୁଥିବା ବଳେ ରାତିରେ କିଛି ସ୍ୱେଚ୍ଛାସେବୀ ଯୁବକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନ ସହାୟତାରେ ବୃଦ୍ଧାଶ୍ରମକୁ ପଠାଇଛନ୍ତି ।

ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲା ବାଗମୁଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦଡିହିର ଭୂନ୍ଦଲ ସିଂହ ମୂରା (୫୦) । କରୋନା ମହାମାରୀ ସମୟରେ ପଶ୍ଚିମବଙ୍ଗର ଜଣେ ଠିକାଦାରଙ୍କ ସହାୟତାରେ ଖୋର୍ଦ୍ଧା ଶିଳ୍ପାଂଚଳରେ ଫେବ୍ରିକେସନ୍ କାରଖାନାରେ କାମ କରିବାକୁ ଆସିଥିଲେ । କରୋନା କୋହଳ ହେବା ପରେ ସେ ନିଜ ଗାଁକୁ ଯାଇ ପୁଣି ୧୦ ଦିନ ପୂର୍ବେ ଫେରିଥିଲେ । ତେବେ ଏହା ମଧ୍ୟରେ ଠିକାଦାର ଓ ସେ କାମ କରୁଥିବା କାରଖାନାର ମାଲିକଙ୍କ ମଧ୍ୟରେ ବିବାଦ ଘଟି ଠିକାଦାରର ଚୁକ୍ତି ବାତିଲ ହୋଇଯାଇଥିଲା । ଏଣୁ ତାଙ୍କୁ କାରଖାନା ମାଲିକ ମେସ୍ରେ ରଖିବାକୁ ମଧ୍ୟ ଦେଇନଥିଲେ । ନିକଟରେ ୨୦୦-୩୦୦ଟଙ୍କା ଥିଲା ୩-୪ଦିନ ବାହାରେ ଖାଇ ସେତିକି ମଧ୍ୟ ଶେଷ ହୋଇଯାଇଥିଲା ।

ଏବେ ଆଉ କାହାକୁ ସହାୟତା ମାଗିନପାରି ବାଇପାସ କଡ଼ରେ ଥିବା ସୂର୍ଯ୍ୟମୁଖି ହୋଟେଲ୍ ସମ୍ମୁଖରେ ବସିରହିଥିଲେ । ଦୁଇ ଦିନ ଏଭଳି ବସି ରହିବା ପରେ ୧୯ ତାରିଖ ରାତିରେ ହୋଟେଲ୍ର ଜଣେ ସହୃଦୟ କର୍ମଚାରୀ ତାଙ୍କୁ ଦେଖି କିଛି ଖାଇବାକୁ ଦେଇ ପିଣ୍ଡାରେ ଶୋଇବାକୁ ଅନୁମତି ଦେଇଥିଲେ । କେବଳ ହୋଟେଲ୍ କର୍ମଚାରୀଙ୍କ ଦୟାରେ ଗତ ଦୁଇ ଦିନ ଧରି ଖାଇବାକୁ ପାଉଥିଲେ । ଆଜି ରାଜୀବ ଷଡ଼ଙ୍ଗୀ, ଚନ୍ଦ୍ରଶେଖର ରାଉତରାୟ, ସତ୍ୟଶଙ୍କର ମଙ୍ଗରାଜ ଭଳି ସ୍ୱେଚ୍ଛାସେବୀ ତାଙ୍କୁ ଦେଖି ଉଦ୍ଧାର କରିବା ସହ ଉପଜିଲ୍ଲାପାଳଙ୍କୁ ଫୋନ୍ କରିଥିଲେ । ପରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଜେନା ସେଠାରେ ପହଂଚି ତାଙ୍କୁ ଗାଡ଼ିରେ ନେଇ ବୃଦ୍ଧାଶ୍ରମରେ ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର