ସ୍ବଚ୍ଛତା ଶୁଳ୍କକୁ ପ୍ରତ୍ୟାହାର କରିବା ଦାବି କଲେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍

ଜୟପୁର: ଜୟପୁର ପୈାରାଞ୍ଚଳରେ ପୌରପାଳିକା ଦ୍ଵାରା ପ୍ରତିଘର ପିଛା ଆଦାୟ କରାଯାଉଥିବା ସ୍ୱଚ୍ଛତା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ଦାବି କଲେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ । ଆସୋସିଏସନ୍ ପକ୍ଷରୁ ଏ ନେଇ ଏକ ଦାବିପତ୍ର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଦେବେନ୍ଦ୍ର ବାହିନୀପତି ପୌରପାଳିକାର ମୁଖ୍ୟ କିରାଣୀ ଗାୟତ୍ରୀ ସାହୁଙ୍କୁ ପ୍ରଦାନ କରିଥିଲେ। ହୋଲଡିଂ ଟ୍ୟାକ୍ସ ଦେବା ସମୟରେ ସଫେଇ ପାଇଁ ଟ୍ୟାକ୍ସ ନିଆଯାଉଛି। ପୁଣି ଥରେ ସ୍ବଚ୍ଛତା ଶୁଳ୍କ ଆଦାୟ କରିବା ଯୁକ୍ତିଯୁକ୍ତ ନୁହେଁ ଏହା ଜନବିରୋଧୀ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ଏହା ଲାଗୁ କରିବା ପୂର୍ବରୁ ସହରବାସୀଙ୍କୁ ଅବଗତ କରି କରିବା କଥା ବୋଲି କୁହାଯାଇଛି। କରୋନା ମହାମାରୀ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ରହିଥିବା ବେଳେ ଏଭଳି ନିଷ୍ପତି ସଂପୁର୍ଣ୍ଣ ଭାବେ ଅମାନବୀୟ ବୋଲି କୁହାଯାଇଛି। ଆମେ କୁଲି ମଜୁରୀ କରି ବହୁ କଷ୍ଟରେ ବଂଚୁଛୁ, ଏପରି ମାସିକ ୫୦ରୁ ୧୦୦ଟଙ୍କା ଆମେ କେଉଁଠି ଆଣି ଦେବୁ ବୋଲି ଗୋପବନ୍ଧୁନଗରର ମହାଲକ୍ଷ୍ମୀ ମହାନ୍ତି, ଶାରଦା ନାଗ, ଜେ. ବାସନ୍ତି, ଆରତୀ ପ୍ରମୁଖ ଅଭିଯୋଗ କରିଛନ୍ତି।

ସେଭଳି ଦାବିପତ୍ର ପ୍ରଦାନ ବେଳେ ଆସୋସିଏସନର ଅମରଲାଲ ଆହୁଜା,କନ୍ଦର୍ପ ପାଣିଗ୍ରାହୀ,ଅନିଲ ମିଶ୍ର,ଲକ୍ଷ୍ମୀ ନାରାୟଣ ପାଢୀ,ସୁଭାଶିଷ ନାୟକ,ସିମାଞ୍ଚଳ ସୁଆର,କାର୍ତ୍ତିକ ନାୟକ,ପି.ନବୀନ,ସୁଧିର ସାହୁ,ରାଜକିଶୋର ତ୍ରିପାଠୀ, ତ୍ରିଲୋଚନ ମହାରଣା ପ୍ରମୁଖ କର୍ମକର୍ତ୍ତା ଓ ମହିଳା ମାନେ ଭାଗ ନେଇଥିଲେ। ପ୍ରକାଶଯୋଗ୍ୟ, ଗତକାଲି ଠାରୁ ଏହି ସ୍ବଚ୍ଛତା ଶୁଳ୍କ ଆଦାୟ ଲାଗୁ କରାଯାଇଛି। ପୌରପାଳିକାକୁ ସୁନ୍ଦର ଓ ସ୍ବଚ୍ଛ କରିବା ପାଇଁ କିଛି ନୂଆ ଯୋଜନା ଆରମ୍ଭ କରିଛି ପୌରପାଳିକା। ଏଥିରେ ପୁରୁଣା ଗୋଷ୍ଠୀ ଶୌଚାଳୟର ନବୀକରଣ ସହ ସହରରେ କିଛି ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି। ସହରର ବର୍ଜବସ୍ତୁ ପରିଚାଳନା ପାଇଁ ଜଗନ୍ନାଥ ସାଗର ପାର୍ଶ୍ବରେ ଆଉ ଗୋଟିଏ ଏମସିସି କେନ୍ଦ୍ର ସ୍ଥାପନ କରାଯିବା ସହ ଆବର୍ଜନା ପରିବହନ ପାଇଁ ବ୍ୟାଟେରି ଚାଳିତ ଗାଡ଼ି କ୍ରୟ କରି ଅଣାଯାଇଛି। ଏହାକୁ ପରିଚାଳନା କରିବା ଦାୟିତ୍ବରେ ୩୦ ଜଣ ସ୍ବଚ୍ଛ ସାଥୀ, ୮ ଜଣ ସୁପରଭାଇଜର ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ରହିବେ ।

ତେବେ ଏହି ସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପୌରାଞ୍ଚଳବାସୀ ଦେବାକୁ ପଡ଼ିବ ବ୍ୟବହାରକାରୀ ସ୍ବଚ୍ଛତା ଶୁଳ୍କ। ପୌରାଞ୍ଚଳରେ ଥିବା ସମସ୍ତ ଘରମାଲିକ, ସରକାରୀ ବେସରକାରୀ ଅନୁଷ୍ଠାନରୁ ଏହି ଶୁଳ୍କ ଆଦାୟ ହେବ। ୫ଶହ ବର୍ଗଫୁଟରୁ କମ ସ୍ଥାନରେ ନିର୍ମିତ ହୋଇଥିବା ବାସଗୃହ ଥିବା ବ୍ୟକ୍ତି ମାସିକ ୨୫ଟଙ୍କା , ୧୨ଶହ ବର୍ଗଫୁଟରୁ କମ୍ ସ୍ଥାନ ପାଇଁ ୫୦ଟଙ୍କା, ୩ହଜାର ବର୍ଗଫୁଟରୁ କମ୍ ସ୍ଥାନ ପାଇଁ ୭୦ଟଙ୍କା ଏବଂ ୩ହଜାର ବର୍ଗଫୁଟରୁ ଅଧିକ ସ୍ଥାନର ନିର୍ମିତ ହୋଇ ଥିବା ବାସଗୃହ ପାଇଁ ଶହେ ଟଙ୍କା ଶୁଳ୍କ ଆଦାୟ କରିବା ଲକ୍ଷ୍ୟ ରହିଛି।

ସେଭଳି ଛୋଟ ବ୍ୟବସାୟୀ ପାଇଁ ସର୍ବନିମ୍ନ ୪୦ ଟଙ୍କା ରୁ ଆରମ୍ଭ କରି ୧୦୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ତାଠୁ ଅଧିକ ହେଲେ ୧୦ବର୍ଗ ଫୁଟକୁ ୩ ଟଙ୍କା ହିସାବରେ ଦେବାକୁ ପଡ଼ିବ। ହୋଟେଲ, ରେଷ୍ଟୁରାଣ୍ଟ , ବାର୍ ଆଦିରୁ ୪୦୦ ଟଙ୍କାରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟରୁ ୧୦୦୦ବର୍ଗ ଫୁଟ ପର୍ଯ୍ୟନ୍ତ ସର୍ବନିମ୍ନ ୧୨୫ଟଙ୍କା ଏବଂ ଅତିରିକ୍ତ ୧୦ ବର୍ଗ ଫୁଟକୁ ୨ ଟଙ୍କା ହିସାବରେ ଆଦାୟ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହା ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର