ମାର୍ଚ୍ଚ ୨୭ରୁ ତିନି ଦିନିଆ ପଲ୍ସ ପୋଲିଓ ଅଭିଯାନ

ଖୋର୍ଦ୍ଧା: ଚଳିତମାସ ୨୭ ତାରିଖରୁ ମାର୍ଚ୍ଚ ୧ ତାରିଖ ଯାଏଁ ତିନିଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ପଲ୍ସ ପୋଲିଓ ଟୀକାଦାନ ଅଭିଯାନ ଅନୁଷ୍ଠିତ ହେବ। ଗତକାଲି ଏନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଆର୍ତ୍ତବନ୍ଧୁ ନାୟକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଓ ଅନ୍ୟ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଏହି ତିନିଦିନରେ ଜନ୍ମରୁ ୫ ବର୍ଷ ଯାଏଁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବ। ଏହି ସମୟରେ ନବଜାତ ଓ ୨ ବର୍ଷ ବୟସ ମଧ୍ୟସ୍ଥ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ବାଧ୍ୟତାମୂଳକ କରାଯାଇଛି।

ଫେବ୍ରୁଆରି ୨୭ ତାରିଖରେ ଜିଲ୍ଳାର ନିର୍ଦ୍ଧାରିତ ୬୨୦ ବୁଥ୍‌ରେ ଓ ଫେବ୍ରୁଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀ ଓ ସହାୟକମାନେ ଘର ଘର ବୁଲି ଟୀକା ଦେବେ। ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ନାୟକ କହିଛନ୍ତି ଯେ ଏହି ଟିକାକରଣ ପାଇଁ ୧୨୪୦ ଗୋଟି ଟିମ୍ ଗଠନ କରାଯାଇଛି। ଏଥିରେ ୨୪୮୦ଜଣ ଟିକାଦାତା, ୧୨୦ଜଣ ନିରୀକ୍ଷକ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ ୨୨ଟି ମୋବାଇଲ୍ ଟିମ୍ ଓ ଟୀକା ପରିବହନ ପାଇଁ ୪୦ଟି ରେଫ୍ରିଜେରେଟର, ୧୭୦୦୦ ଟୀକାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ଜିଲ୍ଲାରେ ପଲ୍ସ ପୋଲିଓ ଟୀକାକରଣ ପୂର୍ବେ ସଫଳ ଭାବେ ସମ୍ପାଦିତ ହୋଇଛି। ୧୯୯୫ ଠାରୁ କେନ୍ଦ୍ର ସରକାର ଏହି ଟୀକାକରଣ ପ୍ରତିବର୍ଷ ଚାଲୁ ରଖିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୨୦୨୧ରେ କୌଣସି ପୋଲିଓ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାର୍ହି, ଯାହା ଟୀକାଦାନର ସଫଳତା।

ସମ୍ବନ୍ଧିତ ଖବର