ଜୟପୁର:  ପ୍ରତ୍ୟେକ ଘରେ ପିଇବା ପାଇଁ ପାଣି ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର  ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ। ଜୟପୁର ବ୍ଲକର ୨୨ଟି ପଂଚାୟତର ୩୯୮ଟି ଗାଁକୁ  ୨ଟି ମେଗା ଜଳଯୋଗାଣ ପ୍ରକଳ୍ପରେ ଯୋଗାଇବାକୁ ଯୋଜନା କରାଯାଇଛି।  ଉପରଇନ୍ଦ୍ରାବତୀ ଡ୍ୟାମର ପାଣିକୁ  ନେଇ ମୁରାନ ଓ ଉପରକୋଲାବର ପାଣିକୁ ନେଇ  କୁନ୍ଦ୍ରାବ୍ଲକର ପୁପୁଗାଁ  ୨ଟି ପ୍ରକଳ୍ପ ନିର୍ମାଣ କରି ଜଳଯୋଗାଇବା ଲକ୍ଷ୍ୟ ରହିଛି। ଜୟପୁର ବ୍ଲକମୁରାନ ପ୍ରକଳ୍ପରେ ୭ଟି ଓ ପୁପୁଗାଁ‌ ପ୍ରକଳ୍ପରେ ୧୫ଟି ଏଭଳି ଉଭୟ ପ୍ରକଳ୍ପରେ ଜୟପୁର ବ୍ଲକର ୨୨ଟି ପଂଚାୟତରେ ପାଣି ଯୋଗାଇବା ଲକ୍ଷ୍ୟ ରହିଛି।  ଏଥି ପାଇଁ ବ୍ଲକରେ ନୂଆ ନଳକୁଅ ଖନନ୍ କିମ୍ବା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଗତ ତିନି ବର୍ଷ ହେବ ଜିଲ୍ଲାପ୍ରଶାସନ ଆଉ ଅନୁମୋଦନ ଦେଉନାହାନ୍ତି। ଏହା ଫଳରେ ବହୁ ବଡ଼ ବଡ ରାଜସ୍ବ ଗାଁ ଓ ପଡ଼ା ଗାଁରେ ଅଧିକା ନଳକୁଅ ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଆବଶ୍ୟକତା ରହିଥିଲେ ହେଁ ଆଉ ନୂଆରେ ନଳକୁଅ ଖନନ କରାଯାଉନି। ଏହାର ପ୍ରଭାବ ୨୨ଟି ଯାକ ପଂଚାୟତର ଶତାଧିକ ଗାଁ ଲୋକଙ୍କ ଉପରେ ପଡ଼ିବା ସହ ମୁନ୍ଦେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।

Advertisment

ସୂଚନା ଅନୁଯାୟୀ,  ସରକାର ‘ବସୁଧା’, ‘ସ୍ବଜଳଧାରା’ ଭଳି ଯୋଜନାରେ  ଜୟପୁର ବ୍ଲକର ୨୨ଟି ପଂଚାୟତର ୧୧୮ଟି ରାଜସ୍ବ ଗାଁ ମଧ୍ୟରୁ ମାତ୍ର ୫୮ଟି ଗାଁରେ ଗ୍ରାମ୍ୟପାନୀୟ ଜଳଯୋଗାଣ ପାଇଁ ଓଭରହେଡଡ୍ ଟ୍ୟାଙ୍କ ନିର୍ମାଣ କରି  ପାନୀୟ ଜଳ  ଯୋଗାଉଛନ୍ତି। ବହୁ ବଡ ରାଜସ୍ବ ଗାଁ  ଓ ପଂଚାୟତ ଯଥା ଆମ୍ବାଗୁଡା, ଗଡପଦର,ରାଣିଗଡ ପଂଚାୟତରେ ମାତ୍ର ଗୋଟିଏ ଲେଖାଏଁ ଗାଁରେ ଗୋଟିଏ ଲେଖାଏଁ ଓଭରହେଡଡ୍ ଟ୍ୟାଙ୍କ ଦ୍ବାରା ପାନୀୟ ଜଳଯୋଗାଣ କରାଯାଇଥିବାରୁ ଠିକରେ ସବୁ ସାହି ଓ ଗଳିକୁ ପାଣି ଯାଉନି।

ସରକାରଙ୍କ ବିଭିନ୍ନ ଯୋଜନାରେ ୧୫୦୯ଟି ଓ ଅନ୍ୟାନ୍ୟ ଯୋଜନା, ବିଭାଗ ଓ  ବେସରକାରୀ ସଂସ୍ଥା ଜରିଆରେ ବ୍ଲକରେ ଆଉ ୭୫୪ଟି ଏଭଳି ୨୨୬୩ଟି ନଳକୁଅ ମାଧ୍ୟମରେ ଲୋକେ ପାନୀୟ ଜଳ ନେଉଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥି ମଧ୍ୟରୁ ଅଧିକାଂଶ ନଳକୁଅ ବହୁ ବର୍ଷରୁ ଖୋଳା ଯାଇଥିବାରୁ କେଉଁଟି ଲୁହା ଗୁଡିକ କଳଙ୍କି ଖାଇ  ଲୁହା ଗନ୍ଦ ପାଣି ବାହାରୁଛି । ଆଉ  କିଛି ନଳକୁଅରୁ ଜମାରୁ ପାଣି ବାହାରୁ ନାହିଁ।  ବଡ଼ ବଡ ସାହି ଓ ଗଳିରେ ଗୋଟିଏ ଗୋଟିଏ ନଳକୁଅ ଉପରେ ଦୁଇଶହରୁ ଉର୍ଦ୍ଧ୍ବ ଲୋକେ ବି ନିର୍ଭର ହେବାକୁ ପଡ଼ୁଛି। ଫଳରେ ପୂର୍ବରୁ ଥିବା ହାତ ଗଣତି ନଳକୁପ ଉପରେ ଲୋକେ ପାଣି ପାଇଁ ଭୋରରୁ ଲମ୍ବା ଲାଇନ୍ ଲଗାଇ ରହିବାକୁ ପଡୁଛି। ଦିନ ତମାମ ଲୋକେ ଏହି ସବୁ ନଳକୁଅର ପାଣି ସେଭଳି ମାରି ନେଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ବି ବହୁ ନଳକୁଅ ଶୀଘ୍ର ଶୀଘ୍ର ଖରାଫ ବି ହେଉଛି। ତା ସାଙ୍ଗକୁ  ପାଣି ନେବା ନଳକୁଅ ନିକଟରେ  ଝଗଡା , ମାରପିଟ ହେବା ସହ ଥାନାର ଦ୍ବାରସ୍ଥ ହେବା ଭଳି ପରିସ୍ଥିତି ଉପୁଜୁଛି। ମୁରାନ ପ୍ରକଳ୍ପ ଯଦିଓ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ପୁପୁଗାଁ ପ୍ରକଳ୍ପର ବହୁ ଡିଜାଇନ୍ ଅନୁମୋଦନ ପାଇଁ ଯାଇ ‌ଏ ଯାଏଁ ଫେରିନି। ଅପରପକ୍ଷରେ ସଂପ୍ରତି ୧୫ଟି ପଂଚାୟତରେ ଓଭର‌ହେଡଡ୍ ପାଣି ଟ୍ୟାଙ୍କ ନିର୍ମାଣ ପାଇଁ  ଠିକା ସଂସ୍ଥା ଏନସିସିଏଲ୍ ନିଅ ଖୋଳିବା ଆରମ୍ଭ କରିଛି। ୨୦୨୫ସୁଦ୍ଧା ଏସବୁ ସାରିବା ପାଇଁ ସମୟ ଧାର୍ଯ୍ୟ ରହିଛି। ସେଭଳି ଜୟପୁର ବ୍ଲକର ସବୁ ୩୯୮ଟି ଗାଁରେ ପାଇପ୍ ଲାଇନ୍ ବିଛାଇବା କାମ ବି ସରିନି। ଏହି ସ୍ଥିତିରେ ଆଗାମୀ ଗ୍ରୀଷ୍ମଋତୁରେ ଲୋକେ ମୁନ୍ଦେ ସ୍ବଚ୍ଛଜଳ ପାଇବାର ଯେଉଁ ଆଶା ରଖିଥିଲେ ତାହା ମଉଳିଯିବା ସମ୍ଭାବନାକୁ ଏଡାଇ ଦେ‌ଇ ହେବନି।