ନିଆରା ନିଶା: ଆହତ ପଶୁପକ୍ଷୀଙ୍କୁ ଉଦ୍ଧାର କରି ଆଶ୍ରୟ ଦେଉଛନ୍ତି ପୁରବୀ

ଆଶ୍ରୟସ୍ଥଳରେ ରହିଛନ୍ତି ୨ଶହରୁ ଅଧିକ ପଶୁପକ୍ଷୀ

କଟକ: ଆହତ ପଶୁପକ୍ଷୀଙ୍କୁ ଉଦ୍ଧାର କରି ଆଶ୍ରୟ ଦେଉଛନ୍ତି ପୁରବୀ ପାତ୍ର। ପୁରବୀ ଇତିମଧ୍ୟରେ ୨ଶହରୁ ଅଧିକ ପଶୁପକ୍ଷୀଙ୍କୁ ଉଦ୍ଧାର କରି ସାରିଲେଣି। ବୁଲା କୁକରଠୁ ଆରମ୍ଭ କରି ବିଲେଇ, ମାଙ୍କଡ଼, ଗାଈ, ଛେଳି, ବିଦେଶୀ କୁକୁର, ଓଟ ଭଳି ବିଭିନ୍ନ ପଶୁପକ୍ଷୀଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପୁରବୀ। ପୁରବୀ ଜଣେ ଅଧ୍ୟାପିକା। ହେଲେ ତାଙ୍କର ଏହି ନିଆରା ନିଶା ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ।

ଭୁବନେଶ୍ବର ପାତ୍ରପଡ଼ାର ବାସିନ୍ଦା ଦୁର୍ଗା ପ୍ରସାଦ ପାତ୍ର ଓ ମମତା ପାତ୍ରଙ୍କ ଝିଅ ପୁରବୀଙ୍କୁ ଏବେ ୩୭ ବର୍ଷ। କଟକ ଜିଲ୍ଲା ଅଡ଼ଶପୁରଠାରେ ରହିଛି ତାଙ୍କର ଏକ ଆଶ୍ରୟସ୍ଥଳ। ଯାହାର ନାମ ରହିଛି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର। ଆଜିକୁ ୧୧ ବର୍ଷ ହେବ ଅଡ଼ଶପୁର ସୁନ୍ଦରଗ୍ରାମଠାରେ ଭଡ଼ା ସୂତ୍ରରେ ଜାଗା ନେଇ ଆରମ୍ଭ କରିଛନ୍ତି ଏହି ଆଶ୍ରୟସ୍ଥଳ। ୨୦୧୬ ମସିହାରେ ଟ୍ରଷ୍ଟକୁ ପଞ୍ଜୀକୃତ କରାଇଛନ୍ତି। ଏହି ଆଶ୍ରୟସ୍ଥଳରେ ପଶୁପକ୍ଷୀଙ୍କ ପାଇଁ ରହିବା, ଖାଇବା, ଗୋଧୋଇବା ବ୍ୟବସ୍ଥା କରିଛନ୍ତି। ପଶୁପକ୍ଷୀଙ୍କ ଯତ୍ନ ନେବା ପାଇଁ ନିଜେ ସେଠାରେ ରହିବା ସହ ପାଞ୍ଚ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଆହତ ହୋଇଥିବା ଓ ବେସାହାରା ହୋଇ ବୁଲୁଥିବା ପଶୁ ବିଷୟରେ ଅବଗତ ହେଲା ମାତ୍ରେ ପୁରବୀ ଓ ତାଙ୍କ ଟିମ୍‌ ବାହାରି ପଡ଼ିଥାନ୍ତି ଉଦ୍ଧାର କରିବା ପାଇଁ।

Sambad

ଏପରିକି ଆଶ୍ରୟସ୍ଥଳରେ ଥିବା ପଶୁପକ୍ଷୀଙ୍କୁ କିଏ ପାଳନ କରି ରଖିବାକୁ ନେବା ପାଇଁ ଚାହିଁଲେ ବିନା କୌଣସି ମୂଲ୍ୟରେ ସେମାନଙ୍କୁ ଦିଆଯାଉଛି। ହେଲେ ନେବା ପୂର୍ବରୁ ସମ୍ପୂର୍ଣ୍ଣ ଭାବ‌େ ଯାଞ୍ଚ କରାଯାଇ ପଶୁପକ୍ଷୀଙ୍କୁ ହସ୍ତାନ୍ତର କରାଯାଇଥାଏ। କଟକ-ଭୁବନେଶ୍ବରରେ ଏଭଳି ଉଦ୍ଧାର କାର୍ଯ୍ୟ କରିଆସୁଥିବା ବେଳେ ଏବେ ବ୍ରହ୍ମପୁର, ରାଉରକେଲା, ବ‌ାଲେଶ୍ବର ଭଳି ଅଞ୍ଚଳରେ ମଧ୍ୟ ସେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହି ପଶୁପକ୍ଷୀଙ୍କ ଖର୍ଚ୍ଚ ନିଜେ ବହନ କରିବା ସହ ଲୋକଙ୍କ ସାହାଯ୍ୟ ସହଯୋଗ ବି ନେଇଥାନ୍ତି। ଏ ନେଇ ପୁରବୀ କହନ୍ତି ଯେ ମୂଳରୁ ବହୁତ ଇଚ୍ଛା ରହିଥିଲା ପଶୁପକ୍ଷୀଙ୍କୁ ପାଖରେ ରଖି ସେବା କରିବା ପାଇଁ। ପାଠପଢ଼ା ପରେ ନିଜେ ରୋଜଗାର ଆରମ୍ଭ କରିବାମାତ୍ରେ ହିଁ ପ୍ରଥମେ ଭଡ଼ାରେ ଏକ ଜାଗା ଅଡ଼ଶପୁର ଠାରେ ନେଇ ଟ୍ରଷ୍ଟ ଆରମ୍ଭ କଲି। ଘର ଦୂର ହେଉଥିବାରୁ ଯେପରି ପଶୁପକ୍ଷୀଙ୍କ ଯତ୍ନ ନେବାରେ ଅବହେଳା ନ ହୁଏ ସେଥିପାଇଁ ଏହି ଆଶ୍ରୟସ୍ଥଳ‌ରେ ନିଜେ ରହି ସେମାନଙ୍କର ସେବା କରି ଆସୁଛି। ପଶୁପକ୍ଷୀଙ୍କ ସେବା ହିଁ ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ପୁରବୀ କହିଛନ୍ତି।

ସମ୍ବନ୍ଧିତ ଖବର