ପୁରୀ: ଗୋବର୍ଦ୍ଧନ ପୀଠ ପୁରୀର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି କି, ଦେଶ ବିଭାଜନ ବେଳେ ମାନବାଧିକାର ଓ ସୀମା ଦୃଷ୍ଟିରୁ ସେତେବେଳେ ଭାରତକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରିଦେବାର ଆବଶ୍ୟକତା ଥିଲା । ଯାହା ଫଳରେ ଦେଶବାସୀ ଏବେ ଏଭଳି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ହେଉଛି ଦେଶର ଶାସନତନ୍ତ୍ର ଓ ରାଜନୈତିକ ଦଳମାନଙ୍କର ଦୂରଦୃଷ୍ଟିହୀନତାର ପରିଣାମ ବୋଲି ସ୍ୱାମୀ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି କି “ମୁଁ ଅନେକ ଭାବିଚିନ୍ତି କହୁଛି କି ଭାରତ ସାଢେ ୩ ବର୍ଷ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ହୋଇଯିବ” । ଏହା କେମିତି ହେବ ଓ ଏହାର ପ୍ରସ୍ତୁତିର ସମସ୍ତ ତଥ୍ୟ ମୋ ପାଖରେ ଅଛି । କେବଳ ଆପଣଙ୍କ ସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ ବୋଲି ଶଂକରାଚାର୍ଯ୍ୟ କହିଛନ୍ତି ।
ଦୁଇଦିନିଆ ଗ୍ରସ୍ତରେ ଗୋରଖପୁର ପହଂଚିବା ପରେ ଅକ୍ଟୋବର ୨୯ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି କି ହିନ୍ଦ ମହାସାଗର ଓ ହିନ୍ଦକୁଟ ଦୁଇଟି ପ୍ରାଚୀନ ଶବ୍ଦ । ହିନ୍ଦୁରେ ଦୁଇଟି ଅକ୍ଷର, ହି-ର ଅର୍ଥ ହିମାଳୟ ଓ ଇନ୍ଦୁର ଅର୍ଥ ସରୋବର । ଏହାର ମୋଟ ଅର୍ଥ କାଶ୍ମୀର ଠାରୁ କନ୍ୟାକୁମାରୀ ହେଉଛି ହିନ୍ଦୁସ୍ତାନ ।
ଅନ୍ୟପଟେ ଦେଶର ରାଜନେତାମାନଙ୍କ ବିଷୟରେ କହିବାକୁ ଯାଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ରାଜନେତାମାନେ ରାଜନୀତିର ସଠିକ୍ ପରିଭାଷା ଜାଣିବା ଦରକାର । ଦେଶରେ ରାଜନେତାମାନଙ୍କ ସଂଖ୍ୟା କମ ନାହିଁ କିନ୍ତୁ ସେମାନେ ରାଜନୀତିର ପରିଭାଷା ସହ ପରିଚିତ ନୁହଁନ୍ତି । ସୁସଂସ୍କୃତ, ସୁବ୍ୟବସ୍ଥିତ, ସୁରକ୍ଷିତ, ସମୃଦ୍ଧ ବ୍ୟକ୍ତି ଓ ସମାଜର ରଚନା ରାଜନୀତିର ପରିଭାଷା ବୋଲି ସେ କହିବା ସହ ରାଜନୀତିରେ କ୍ଷମତା ଲୋଭ ରହିବା କଥା ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ ।
ଅନ୍ୟପଟେ ସାଧାରଣ ଲୋକଙ୍କୁ ଶଙ୍କରାଚାର୍ଯ୍ୟ ଉପଦେଶ ଦେବା ଛଳରେ କହିଥିଲେ କି ସାଧାରଣ ଲୋକ ବିଧି ନିଷେଧର ପାଳନ କରିବା ଦରକାର । ମର୍ଯ୍ୟଦା ସହକାରେ ଦେବା ଦେବୀଙ୍କୁ ଦର୍ଶନ ନକଲେ ସେମାନଙ୍କର ମୂର୍ତ୍ତିର ତେଜ ନଷ୍ଟ ହୋଇଥାଏ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।