ପିପିଲି: ଏକ ଠକେଇ ମାମଲାରେ ପିପିଲି ଜେଏମ୍ଏଫସି କୋର୍ଟର ବିଚାରପତି ଚିନ୍ମୟ କୁମାର ପାଢୀ ଦୁଇ ଜଣ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଓ ଜରିମାନା ଦଣ୍ତରେ ଦଣ୍ତିତ କରିଛନ୍ତି। ସୂଚନା ଅନୁସାରେ ପିପିଲି ଦାସ ଏଜେନ୍ସିର ମାଲିକ ଜିତେନ୍ଦ୍ର କୁମାର ରଥଙ୍କୁ ଅଟା, ସୁଜି, ବେସନ ଓ ମଇଦା ଆଦି ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ କଲିକତାର ଦୁଇଜଣ ଯୁବକ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଓ ତାପସ ଦାସ ଶ୍ରୀ ରଥଙ୍କ ଠାରୁ ୨୦୧୬ ଅଗଷ୍ଟ ୨୯ରେ ୩ଲକ୍ଷ ୭୫ ହଜାର ଟଙ୍କା ଚେକ୍ ମାଧ୍ୟମରେ ନେଇଥିଲେ। ପ୍ରଦୀପ ମହୀଶୂରର ସୁପର ସିକ୍ସ ପ୍ରଡକ୍ଟ ନାମକ ସଂସ୍ଥାର ଏକ୍ଜିକ୍ୟୁଟିଭ ଅଫିସର ବୋଲି ପରିଚୟ ଦେଇଥିଲେ। ତେବେ ସାମଗ୍ରୀ ଦେବାରେ ବାରମ୍ବାର ସମୟ ଗଡ଼ାଇ ଚାଲିବାରୁ ଶ୍ରୀ ରଥଙ୍କର ସନ୍ଦେହ ହୋଇଥିଲା ଓ ସେ ପିପିଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ଏହା ବଡ଼ ଧରଣର ଠକେଇ ବୋଲି ଜଣା ପଡ଼ିଥିଲା। ପ୍ରଦୀପ ଓ ତାପସ ଆହୁରି କେତେଜଣ ଲୋକଙ୍କୁ ମଧ୍ୟ ସମାନ ପ୍ରକ୍ରିୟାରେ ଠକିଥିବା ପୁଲିସ ଜାଣିପାରିଥିଲା। ସେ ସମୟରେ ପିପିଲି ପୁଲିସ ଅଭିଯୁକ୍ତ ଶ୍ରୀ ଭଟ୍ଟାଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପିପିଲି ଜେଏମ୍ଏଫସି କୋର୍ଟରେ ବିଚାରାଧୀନ ଥିବା ଉକ୍ତ ମାମଲାର ଆଜି ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ପ୍ରଦୀପ ଓ ତାପସ ଆଇପିସିର ଦଫା ୪୨୦ ଅନୁଯାୟୀ ୧ବର୍ଷ ଜେଲ ଓ ୫ହଜାର ଟଙ୍କା ଜରିମାନା, ୪୦୬ ଦଫାରେ ୬ ମାସ ଜେଲ, ୧୨୦(ଖ) ଦଫାରେ ୩ମାସ ଜେଲ ଦଣ୍ତରେ ଦଣ୍ତିତ କରିବା ସହ ୫ ହଜାର ଟଙ୍କା ଜରିମାନା ନଦେଲେ ଆଉ ଅଧିକ ୩ ମାସ ଜେଲ ଦଣ୍ତ ହେବ ବୋଲି ବିଚାରପତି ଶ୍ରୀ ପାଢୀ ତାଙ୍କ ରାୟରେ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସୁଧିର କୁମାର ମହାନ୍ତି, ପ୍ରସନ୍ନ ଚମ୍ପତି,ଓ ଡ଼.ରଶ୍ମୀରାଣୀ ବଳବନ୍ତରାୟ ଏହି ମାମଲା ପରିଚାଳନା କରୁଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବିଭୁପ୍ରସାଦ ବୈରିଗଂଜନ ଓ ବିକ୍ରମ ଦାସ ମାମଲା ପରିଚାଳନା କରୁଥିଲେ।
ଠକେଇ ମାମଲାରେ ଜେଲ୍ ଗଲେ ୨ ଯୁବକ
/sambad/media/post_attachments/wp-content/uploads/2019/06/arrest-generic_-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)