ସାକ୍ଷୀଗୋପାଳ: ସେନା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ ଗିରଫ

ସାକ୍ଷୀଗୋପାଳ:  ସେନା ବିଭାଗରେ କର୍ମଚାରୀ ବୋଲି ପରିଚୟ ଦେଇ ସ୍ଥାନୀୟ ସାକ୍ଷୀଗୋପାଳ ବଜାରରେ ଏକ ଜନସେଵା କେନ୍ଦ୍ରରେ ଏକ ଜାତୀୟକରଣ ବ୍ୟାଙ୍କର ଚେକ ପ୍ରଦାନ କରି ସେବାକେନ୍ଦ୍ର ଅପରେଟରଙ୍କ ଠାରୁ ୧. ୮୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜନସେବା କେନ୍ଦ୍ରର ଅପରେଟର କାଳୀ ପ୍ରସାଦ ମହାପାତ୍ରଙ୍କ ଏତଲା ଅନୁଯାଇ ସତ୍ୟବାଦୀ ଥାନାରେ କେସ୍ ନଂ ୨୧୦/ ୨୧ ରେ ୪୨୦ ଦଫା ଠକେଇ ମାମଲାରେ ପୁଲିସ ଅଭିଯୁକ୍ତ ପ୍ରଭାସ କୁମାର ସେଠୀଙ୍କୁ ଗିରଫ କରିଛି। ପୁରୀ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି।

ଖଵର ନେଵାରୁ ଜଣାପଡିଛି ଯେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କରଞ୍ଜପଡ଼ା ଗ୍ରାମର ଜୟନ୍ତ କୁମାର ସେଠୀଙ୍କ ପୁଅ ପ୍ରଭାସ ସେଠୀ ନିଜକୁ ଜଣେ ସେନା ଵିଭାଗର କର୍ମଚାରୀ ବୋଲି କହିବା ସହିତ ଏନ.ସି.ସି ତାଲିମ ଦେଵାକୁ ଆସିଥିବା କହିଥିଲେ। ଉଆଁସଡିହ ଗ୍ରାମ ନିକଟରେ ଏକ ଭଡ଼ା ଘରେ ଗତ ୬ ମାସ ହେବ ରହୁଥିଲେ। ସେ ସ୍ଥାନୀୟ କାନଡା ବ୍ୟାଙ୍କ ସତ୍ୟବାଦୀ ଶାଖାରେ ଆକାଉଣ୍ଟ ଖୋଲି ସେଠାରୁ ବ୍ୟାଙ୍କ ଚେକ ସଂଗ୍ରହ କରିଥିଲେ। ଏହାପରେ ସେ ଅନଲାଇନ ମନି ଟ୍ରାନସଫର, ଚାକିରୀ କରାଇଦେବା, ହୋଟେଲରେ ବାକିରେ ଖାଇଵା ଏପରିକି ଘର ମାଲିକଙ୍କୁ ଭଡା ନଦେଇ ବିଭିନ୍ନ ଆଳ ଦେଖାଇ ଅନେକ ଲୋକଙ୍କୁ ଠକେଇ କରି ଚାଲିଥିଲେ।

ଗତ ସପ୍ତାହରେ ଜନସେଵା କେନ୍ଦ୍ରକୁ ଯାଇ ପରିବାରର ଚିକିତ୍ସା ନିମନ୍ତେ ଟଙ୍କା ପଠାଇବା ଜରୁରୀ ବୋଲି କହି ନଗଦ ଅର୍ଥ ପ୍ରଦାନ କରି ଅନଲାଇନ ମନି ଟ୍ରାନସଫର କରିଥିଲେ। ପରେ ପରେ ପୁନଶ୍ଚ ମନି ଟ୍ରାନସଫର କରିବାକୁ ଆସି ଟଙ୍କା ପଠାଇବା ପରେ ନଗଦ ଟଙ୍କା ବ୍ୟାଙ୍କ ଚେକ ଦେଇଥିଲେ। ମାତ୍ର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡିଵାରୁ ଜନସେବା କେନ୍ଦ୍ର ପରିଚାଳକ ମହାପାତ୍ର ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ସେ ଗୋଟିଏ ଠକ ବୋଲି ପୁଲିସ ସନ୍ଦେହ କରିଥିଲା। ସତ୍ୟବାଦୀ ଥାନା ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳି ନ ଥିଲା। ଏହି ଠକେଇରେ ଅନ୍ୟମାନଙ୍କର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଦେଵୀ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର