ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଗଣତି ମଣତି ହେବ ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ୍ୟର ଅଳଙ୍କାର। ରତ୍ନଭଣ୍ଡାରର ଆବଶ୍ୟକ ମରାମତି ମଧ୍ୟ କରାଯିବ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଏପରି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଜେପି ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଥିଲା। ଆଉ ନିଜ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରିଥିଲେ। କମିଟି ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେବାସହ ଏସ୍ଓପି ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରିଥିଲା। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଏହି କ୍ରମରେ ଆଜି ରାଜ୍ୟ ସରକାର ଏହି ଏସ୍ଓପିକୁ ଅନୁମୋଦନ କରିଛନ୍ତି। ତେଣୁ ବର୍ଷବର୍ଷ ଧରି ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାହେବାକୁ ଯାଉଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...
ପୁରୀରୁ ସୁମନ୍ତ, ସତ୍ୟ
ଶେଷଥର ୧୯୭୮ ମସିହାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପରେ ଏହାର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀ ସରକାରୀ ପ୍ରେସ୍ରେ ଏହି ତାଲିକାର ଏକ ବିସ୍ତୃତ ବିବରଣୀ ଛପାଯାଇଥିଲା। ଏହି ତଥ୍ୟ ଅନୁଯାୟୀ, ୧୯୭୮ ମସିହାରେ ଗଣତି ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ୭୪୭ ପ୍ରକାରର ରତ୍ନ ଅଳଙ୍କାର ମିଳିଥିଲା। ଯେଉଁଥିରେ ୧୨ହଜାର ୮୩୮ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ରହିଥିଲା। ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪ହଜାର ୩୬୪ ଭରି, ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮ହଜାର ୧୭୫ ଭରି ଓ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର ରହିଥିଲା। ସେହିପରି, ଭିତର ରତ୍ନଭଣ୍ଡାରରେ ୨୩୧ ପ୍ରକାରର ୧୪ହଜାର ୮୭୮ ଭରି, ବାହାର ରତ୍ନଭଣ୍ଡାରରେ ୩୯ ପ୍ରକାରର ୪ହଜାର ୬୭୧ ଭରି ଓ ଦୈନନ୍ଦିନ ନୀତିକାନ୍ତି ପାଇଁ ଚଳନ୍ତି ଭଣ୍ଡାରରେ ୨୩ ପ୍ରକାରର ୨ହଜାର ୬୦୩ ଭରି ରୁପା ଅଳଙ୍କାର ରହିଥିଲା। ବିଭିନ୍ନ କାରଣରୁ କିଛି ଅଳଙ୍କାରକୁ ଗଣତି ନ କରି ଛାଡ଼ି ଦିଆଯାଇଥିଲା। ବିଭିନ୍ନ କାରଣରୁ ୧୪ଟି ସୁନା ଓ ରୁପା ଜିନିଷ ସହ ଅନେକ ଭଗ୍ନ ମୁକୁଟ, ରତ୍ନ ପଥର ଆଦି ତାଲିକାଭୁକ୍ତ କରାଯାଇନଥିଲା। ପରେ ୧୯୮୨ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ହଜାର ୩୩୭ ଭରି ୧୦ଅଣା ରୁପା କଢ଼ାଯାଇଥିଲା। ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା। ବଡ଼ଠାକୁରଙ୍କ ଚିତା ବ୍ୟବହୃତ ଯୋଗ୍ୟ ନ ହେବାରୁ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଚିଠି ସଂଖ୍ୟା- ୮୭୬୭/୧୨.୭.୧୯୮୫ ଆଧାରରେ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଣାଯାଇଥିଲା। ପରେ ପୂର୍ବଭଳି ତାଲା ପକାଇ ଜଉମୁଦ ଦିଆଯାଇଥିଲା।
ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର
ବାହାର ରତ୍ନଭଣ୍ଡାରରେ ଶ୍ରୀଜିଉଙ୍କ ମସ୍ତକରେ ଲାଗି ପାଇଁ ୧୦ ପ୍ରକାରର ୨ହଜାର ୨୦୩ ଭରି, କାନ ପାଇଁ ୫ ପ୍ରକାରର ୧ହଜାର ୩୦୯ ଭରି, ନାକ ପାଇଁ ୩ ପ୍ରକାରର ୧୪ ଅଣା, ବେକ ପାଇଁ ୩୪ ପ୍ରକାରର ୧ହଜାର ୮୬୧ ଭରି, ଭୁଜ ପାଇଁ ୩ ପ୍ରକାରର ୧ହଜାର ୧୦୧ ଭରି, ମଣିବନ୍ଧ ପାଇଁ ୧ ପ୍ରକାରର ୧୦ ଅଣା, କମର ପାଇଁ ୮ ପ୍ରକାରର ୩୯୨ ଭରି, ଗୋଡ଼ ପାଇଁ ୨ ପ୍ରକାରର ୭୫୫ ଭରି ସ୍ବର୍ଣ୍ଣ ଅଳଙ୍କାର ରହିଥିଲା। ଅନ୍ୟାନ୍ୟ ୧୩ ପ୍ରକାରର ୫୫୦ ଭରି ସୁନା ଅଳଙ୍କାର ବି ରହିଥିଲା। ୧୫ ପ୍ରକାରର ୨ହଜାର ୩୩୩ ଭରି ରୁପାର ପୂଜା ସାମଗ୍ରୀ, ୧୭ ପ୍ରକାରର ୨ହଜାର ୦୮୭ ଭରି ରୁପାର ବାସନକୁସନ ଓ ୭ ପ୍ରକାରର ୨୪୯ ଭରି ଅନ୍ୟାନ୍ୟ ରୁପା ସାମଗ୍ରୀ ରହିଥିଲା।
ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର
ଭିତର ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ପାଇଁ ୯୭ ପ୍ରକାରର ୮୦୨ ଭରି, କାନ ପାଇଁ ୧୨ ପ୍ରକାରର ୩୮୯ ଭରି, ନାକ ପାଇଁ ୨୦ ପ୍ରକାରର ୨୦୯ ଭରି, ବେକ ପାଇଁ ୧୬୦ ପ୍ରକାରର ୧ହଜାର ୪୫୦ ଭରି, ଭୁଜ ପାଇଁ ୧୮ ପ୍ରକାରର ୮୮ ଭରି, ମଣିବନ୍ଧ ପାଇଁ ୧୫ ପ୍ରକାରର ୧୩୪ ଭରି, ଆଙ୍ଗୁଠି ପାଇଁ ୨ ପ୍ରକାରର ୪ ଭରି, ଅଣ୍ଟା ବା କମର ପାଇଁ ୫ ପ୍ରକାରର ୨୧ ଭରି, ଗୋଡ଼ ପାଇଁ ୨ ପ୍ରକାରର ଏକ ଭରି ଓ ଅନ୍ୟାନ୍ୟ ୩୬ ପ୍ରକାରର ୧ହଜାର ୨୬୩ ଭରି ସ୍ବର୍ଣ୍ଣ ଅଳଙ୍କାର ରହିଥିଲା। ସେହିପରି, ପୂଜା ପାଇଁ ୯୩ ପ୍ରକାରର ୨ହଜାର ୯୯୮ ଭରି ରୁପା ସାମଗ୍ରୀ, ୭୪ ପ୍ରକାରର ୮ହଜାର ୮୨୦ ଭରି ରୁପାର ବାସନକୁସନ ଓ ଅନ୍ୟାନ୍ୟ ୬୪ ପ୍ରକାରର ୩ହଜାର ୦୬୦ ଭରି ରୁପା ସାମଗ୍ରୀ ରହିଥିଲା।