୩୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ; ଯୁବକ ଗିରଫ

ପୁରୀ: ପୁରୀ ପେଣ୍ଠକଟା ସାହିରେ ଜିଲ୍ଲା ଅବକାରୀ ବିଭାଗ ଚଢଉ କରି ୩୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିବା ସହ ଟୁନା ମହାପାତ୍ର (୩୮) ନାମକ ଜଣେ ଯୁବକକୁ ଗିରଫ କରିଛି। ବିଭାଗୀୟ ଏସ୍‌ଆଇ ସୂର୍ଯ୍ୟନାରାୟଣ ରଥଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପେଣ୍ଠକଟା ବେହେରା ସାହିର ଟୁନା ମହାପାତ୍ର (୩୮) ବେଆଇନ୍‌ ବ୍ରାଉନସୁଗାର ବ୍ୟବସାୟରେ ସଂପୃକ୍ତ ଥିବା ଜଣାପଡିବା ପରେ ଅବକାରୀ ବିଭାଗ ଗତ ଦୁଇ ମାସ ହେଲା ଟୁନା ଉପରେ ନଜର ରଖିଥିଲା। ଏକ ୟାମାହା ଫିଜେରୋ ବାଇକ୍‌ରେ ସେ ଖୋର୍ଦ୍ଧା ଜିଲ୍ଲାରୁ ବ୍ରାଉନସୁଗାର ଆଣି ଏଠାରେ ଅବାଧ ନିଶା କାରବାର ଚଳାଇଥିଲା। ଅବକାରୀ ବିଭାଗ ପକ୍ଷରୁ ତାକୁ ଧରିବା ପାଇଁ ଅନେକ ଥର ଉଦ୍ୟମ ହୋଇଥିଲେ ବି ସବୁଥର ଚକ୍‌ମା ଦେଖାଇ ଖସିଯାଉଥିଲା ଟୁନା। ତେବେ ଗତକାଲି ସେ ଗୁରୁଜଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ବିକ୍ରିବଟା କରୁଥିବା ପକ୍କା ଖବର ପାଇଥିଲା ଅବକାରୀ ବିଭାଗ। ବିଭାଗର ଜଣେ ଅଧିକାରୀ ନିଜକୁ ଜଣେ ଗ୍ରାହକ ଭାବେ ଦର୍ଶାଇ ଟୁନା ପାଖରୁ ଏକ ବ୍ରାଉନ୍‌ ସୁଗାର ପ୍ୟାକେଟ୍‌ କିଣିବା ପରେ ନିକଟରେ ଛକି ବସିଥିବା ଅବକାରୀ ଅଧିକାରୀମାନେ ଟୁନାକୁ କାବୁ କରିନେବା ସହିତ ତା ନିକଟରୁ ୩୩ ଗ୍ରାମର ବ୍ରାଉନ୍‌ ସୁଗାର, ୟାମାହା ବାଇକ ଓ ୪ ହଜାର ଟଙ୍କା ଜବତ କରିଥିଲେ। ଏ ନେଇ ଏକ ମାମଲା ରୁଜୁ ପରେ ଆଜି ଟୁନାକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର