ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳରେ ବାର୍ଡଫ୍ଲୁ ଆତଙ୍କ ଦେଖାଯିବା ପରେ ଗୁରୁବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇ ଯାଇଛି। ମାଲୁଦ, ସାନସାହି, କୁଜିବର ଓ ପଥରଗଂଜ ଗାଁରେ କୁକୁଡ଼ା ମରା ଯାଇଛି। ଆଗାମୀ ଦିନରେ ମଧ୍ୟ ଏହି କାମ ଜାରି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗିରିଜା ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ୮ଟି ଟିମ୍ରୁ ୩ ଟିମ୍ ଦ୍ୱାରା ୩୯୯ କୁକୁଡା ମରାଯାଇଛି। ପରେ ମୃତ କୁକୁଡ଼ାମାନଙ୍କୁ ମାଟି ତଳେ ପୋତି ଦିଆଯାଇଛି। ୮ଟି ଟିମରେ ୮ ଜଣ ବ୍ଲକ ପ୍ରାଣୀ ଚିକିତ୍ସକଙ୍କ ସହିତ ୪୦ ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ। ପଭାବିତ ୧୦ କିଲୋମିଟର ପରିସର ମଧ୍ୟରେ କୁକୁଡ଼ା ମରାଯିବା ପାଇଁ ଯୋଜନା ରଖାଯାଇଥିବା ବେଳେ ଆଜି ୦.୨୧ କିମି ପରିସର ମଧ୍ୟରେ କୁକୁଡ଼ା ମରାଯାଇଥିଲା।
ଆଜି ୩ ଟିମ୍ କୁକୁଡ଼ା ମାରିଥିବା ବେଳେ ୩ ଟିମ ସର୍ବେକ୍ଷଣ କରିଥିଲା। ସେହିପରି ୨ ଟିମକୁ ସଂରକ୍ଷିତ ଭାବରେ ରଖାଯାଇଥିଲା। କଟକ ଜିଲ୍ଲାର ଫୁଲନଖରାସ୍ଥିତ ଏଡିଆରଆଇ ଉପନିର୍ଦ୍ଦେଶକ ଡ. ଲୋକନାଥ ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ କୃଷ୍ଣପ୍ରସାଦ ବ୍ଲକରୁ ୧୦୮ ଓ ବ୍ରହ୍ମଗିରି ବ୍ଲକରୁ ୨୦ କୁକୁଡ଼ାର ନମୂନା ସଂଗ୍ରହ କରି ମଧ୍ୟପ୍ରଦେଶର ଭୋପାଳସ୍ଥିତ ପ୍ରାଣୀ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଇଛନ୍ତି। ରିପୋର୍ଟ ଆସିବା ପରେ କୁକୁଡ଼ା ମୃତ୍ୟୁର କାରଣ ଜଣାପଡ଼ିବ। ସେହିପରି ମରାଳ ମାଳିନୀ ଚିକିକାକୁ ବିଦେଶରୁ ଆସୁଥିବା ପକ୍ଷୀଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ସନ୍ଦେହ କରାଯାଉଛି।
ପ୍ରାଣୀ ଚିକିତ୍ସକ ଗିରିଜା ପଟ୍ଟନାୟକ କହିଛନ୍ତି, ସରକାରଙ୍କ ଘୋଷଣା ଅନୁସାରେ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉ ନାହିଁ। ସେହିପରି ପ୍ରଭାବିତ ଅଂଚଳକୁ ସାଧାରଣ ଲୋକଙ୍କୁ ଯିବାକୁ ଦିଆଯାଉ ନାହିଁ।