ଅସ୍ତରଙ୍ଗ: ଅସ୍ତରଙ୍ଗର ସମଗ୍ର ଅଞ୍ଚଳରେ ଲୁଚାଛପାରେ ଧଳା ଜହର କାରବାରରେ ଚାଲିଛି। କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ବାଡ ଦ୍ୱାରା ସାପ୍ତାହିକ ହାଟ ଏକ ଦେଶୀ ମଦ ଦୋକାନୀରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହେବା ଓ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସମୟରେ ଏବେ ଏହି ଧଳା ଜହର ସମେତ ଅସ୍ତରଙ୍ଗ ଓ କାକଟପୁର ଭଳି ଗ୍ରାମାଞ୍ଚଳରୁ ଏହି ନିଶା ପୁଡିଆ ଜବତ ହେବା ଯାହା ଏକ ସଭ୍ୟ ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଇଛି। ସୂଚନା ମୁତାବକ ଅସ୍ତରଙ୍ଗରେ ଥିବା କେତେକ ସରକାରୀ ସ୍ୱୀକୃତିପାପ୍ତ ମଦ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ଓ ସେଠାରୁ ଗ୍ରାମାଞ୍ଚଳକୁ ଅବାଧରେ ମଦ ଯାଇ ବିକ୍ରି ହେବା ଘଟଣା ସମ୍ପର୍କରେ ସୂଚନା ପାଇ ଗତକାଲି କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ବାଡ ଏକ ନିର୍ଦ୍ଧିଷ୍ଟ ଦୋକାନ ଉପରେ ଚଢାଉ କରିଥିଲା। ଇନ୍ସପେକ୍ଟର ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଟିମ୍ ଚଢାଉରେ ସାମିଲ୍ ହୋଇ ଚଢାଉ ଆରମ୍ଭ କରିଥିଲେ। ମଦ ଦୋକାନର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବାରେ ବିଳମ୍ବିତ ରାତିରେ ମଦ ବିକ୍ରି ହେବା ସମେତ ଗ୍ରାମାଞ୍ଚଳକୁ ମଦ ଚୋରା ଚାଲାଣ ହେବା ପ୍ରମାଣ ମିଳିଥିଲା । ସେତେବେଳକୁ ମଦଦୋକାନୀଙ୍କ ସମେତ କର୍ମଚାରୀମାନେ ଲୁଚି ଯାଇଥିଲେ । କିନ୍ତୁ ଏହି କାରବାରରେ ଲିପ୍ତ ଥିବା ୩ ଜଣଙ୍କୁ ସ୍କ୍ବାଡ ଟିମ୍ କାବୁ କରିଥିଲା | ସେମାନଙ୍କଠାରୁ ଦେଶୀ ମଦ ସମେତ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏନେଇ ଅବକାରୀ ଆକ୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି।
ସବୁଠୁ ବଡ଼ କଥା ହେଲା ଘଟଣାଟି ସକାଳ ବେଳା ଘଟିଥିଲା ବେଳେ ଗିରଫ ଅଭିଯୁକ୍ତକୁ ନେଇ ଅସ୍ତରଙ୍ଗ ମେଡିକାଲ ପରିବର୍ତ୍ତେ ଗୋପ ମେଡିକାଲରେ ବହୁ ବିଳମ୍ବରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ କୋଭିଡ୍ ଟେଷ୍ଟ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିବା ସୂଚନା ମିଳିଛି ।| ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝା୍ଡଲିଙ୍ଗର ବୈରାଗୀ ବେହେରା, ପ୍ରଶାନ୍ତ ବାରିକ୍ ଓ ଅସ୍ତରଙ୍ଗର ଶରତ କୁମାର ସାହୁ ଓରଫ ଗିରିଆ ଅଛନ୍ତି।
ଅସ୍ତରଙ୍ଗରେ ୪ଟି ସରକାରୀ ସ୍ୱୀକୃତିପାପ୍ତ ମଦ ଦୋକାନ ଥିଲେ ମଧ୍ୟ ଗ୍ରାମଞ୍ଚଳର ପ୍ରତି ଗଳିକନ୍ଦିରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ କାରବାର ହେଉଛି | ଏଥିସହ ବ୍ରାଉନସୁଗାର ଭଳି ଧଳାଜହର କାରବାର ଚାରିଆଡେ ବ୍ୟାପିଗଲାଣି। ଏତିମଧ୍ୟରେ ଗତ ୨ ବର୍ଷ ମଧ୍ୟରେ ହିସାବ ଦେଖିଲେ ଅସ୍ତରଙ୍ଗର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ନିଶା ଯୋଗୁ ମୃତ୍ୟୁବରଣ କରିବା ମଦବିରୋଧୀ ତଥା ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା ସୂଚନା ଦେଇଛନ୍ତି । ତାଙ୍କକ ହିବା କଥା ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଓ ସ୍ପଷ୍ଟ ଦିବାଲୋକରେ ନିଶା କାରବାର ଚାଲି ପରିସ୍ଥିତି ସୀମା ବାହାରକୁ ଚାଲିଗଲାଣି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ସ୍ଥାନୀୟ ପୁଲିସ୍ ସମେତ ଜିଲ୍ଲା କିମ୍ବା ରାଜ୍ୟ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଅସ୍ତରଙ୍ଗ ଅଞ୍ଚଳକୁ ଗସ୍ତକରି ବାରମ୍ବାର ଚଢାଉ ଜାରିରଖିଲେ ପରିସ୍ଥିତି ସୁଧୁରିବ ବୋଲି ସେ ସୂଚନା ଦେଇଛନ୍ତି।