ବଡ଼ଦାଣ୍ଡରେ ଆଇନଜୀବୀଙ୍କୁ ହତ୍ୟା

ପୁରୀ : ରାତି ପ୍ରାୟ ନଅଟା ସମୟରେ ବଡ଼ଦାଣ୍ଡରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଜଣେ ଆଇନଜୀବୀ ପ୍ରାଣ ହରାଇଛନ୍ତି। ଏହି ଘଟଣା ପୁରୀରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଆଇନଜୀବୀ ଜଣକ ଚୁଡ଼ଙ୍ଗ ସାହିର ଲକ୍ଷ୍ମୀଧର ମହାପାତ୍ର। ସେ ଅଖିଳ ଭାରତ ଗ୍ରାହକ ପଞ୍ଚାୟତର ରାଜ୍ୟ ସଂଯୋଜକବି ଥିଲେ। ଆଜି ରାତିରେ ଡାକ୍ତରଖାନା ଛକ ଆଗରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରୁ ସେ ବାଇକ୍‌ରେ ତେଲ ପକାଇ ଫେରୁଥିବାବେଳେ ତାଙ୍କ ବାଇକ୍‌ ସମ୍ମୁଖକୁ ଦୁଇ ଜଣ ଦୁର୍ବୃତ୍ତ ଏକ ହୋଣ୍ଡା ଆକ୍ଟିଭାରେ ଚାଲି ଆସିଥିଲେ। ଅଚାନକ ଲୁହା ରଡ୍‍ରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇ ଲକ୍ଷ୍ମୀଧର ବାଇକ୍‌ରୁ ଖସି ପଡ଼ିଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ଲକ୍ଷ୍ମୀଧରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଓ ପରେ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। କ୍ୟାପିଟାଲ ହସ୍‌ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆସନ୍ତାକାଲି ପୋଷ୍ଟମର୍ଟମ କରାଯିବ। ଲକ୍ଷ୍ମୀଧରଙ୍କ ହତ୍ୟା ପଛରେ ପୂର୍ବ ବିବାଦ ରହିଥିବା ଚର୍ଚ୍ଚା ଚାଲିଛି। ଏହି ବିବାଦକୁ କେନ୍ଦ୍ର କରି ଟାଉନ୍‌ ଥାନାରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଥିଲା।

ସମ୍ବନ୍ଧିତ ଖବର