ଅସ୍ତରଙ୍ଗ ଦିନାଡିଆ ଗଣହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଲେ ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ଏହି ଘଟଣାରେ ସମ୍ପୃକ୍ତ ରହିମ୍‌ ଖାନ୍‌ ଓ ପତ୍ନୀ ଆୟେଶା ବେଗମ୍‌ଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ‌ଜେଲ ଦଣ୍ଡ ସହ ଅନ୍ୟତମ ଦୋଷୀ ଫକିର ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ

ପୁରୀ : ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆ ଗ୍ରାମରେ ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଘଟିଥିବା ଗଣହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍। ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା କରିଥିବା ଦୋଷୀ ରହିମ୍‌ ଖାନ୍‌ ଓ ପତ୍ନୀ ଆୟେଶା ବେଗମ୍‌ଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ‌ଜେଲ ଦଣ୍ଡ ସହ ଅନ୍ୟତମ ଦୋଷୀ ଦିନବନ୍ଧୁଙ୍କ ସଡୁ ଫକିର ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଚିନ୍ତାମଣି ପଣ୍ଡା।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନବନ୍ଧୁ ମଳିକଙ୍କ ପରିବାରକୁ ମୁଳପୋଛ କରିଦିଆଯାଇଥିଲା । ଦିନବନ୍ଧୁ, ତାଙ୍କ ସ୍ତ୍ରୀ ନିର୍ମଳା ଓ ୨ ଝିଅ ପ୍ରଣତୀ ଓ ଶାସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସେତେବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଲୋମଟାଙ୍କୁରା ଘଟଣାର ତଦନ୍ତ ଭାର ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଦିନବନ୍ଧୁଙ୍କ ସଡୁ ଫକୀରଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଏହାପରେ ଏହି ଘଟଣା ୨ ମାସ ପରେ କୋଲକାତାର ହିମାଦ୍ରି ଶେଖର ଓ ତାଙ୍କ ସ୍ତ୍ରୀ ଆୟେଶା ବେଗମ୍‌କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଗତ କିଛିଦିନ ତଳେ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏମାନେ ନିମାପଡା ସବ୍ ଜେଲରେ ବନ୍ଦି ଜୀବନ ବିତାଉଥିଲେ।

ସମ୍ବନ୍ଧିତ ଖବର