ମହିଳା ଏସ୍‌ଆଇଙ୍କୁ ଦୁର୍ବ୍ୟବହାର କରି ଅଟୋ ଚାଳକ ଗିରଫ

ପୁରୀ :ଟ୍ରାଫିକ୍‌ ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ ଅଫିସରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣେ ଅଟୋ ଚାଳକକୁ ଗିରଫ କରିଛି। ସେ ହେଲା ଗଡ଼ିଶାଗୋଦା ଥାନା କରମଳା ଅଞ୍ଚଳର ପ୍ରଭାତ ସେଠୀ (୨୬)। ପୁଲିସ ଅଟୋ ଚାଳକକୁ ଗିରଫ କରିଥିବା ବେଳେ ତା’ର ଅଟୋକୁ ମଧ୍ୟ ଜବତ କରିଛି। ସୂଚନା ଅନୁଯାୟୀ, ଗତକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଯୋଗୁ ପୁରୀରେ ଟ୍ରାଫିକ୍‌ ନିୟନ୍ତ୍ରଣକୁ କଡ଼ାକଡି କରାଯାଇଥିଲା। ସମୁଦ୍ରକୂଳ ଥାନା ଏସ୍‌ଆଇ ସ୍ୱର୍ଣ୍ଣପ୍ରଭା ଜେନା ଦିଗବାରେଣୀ ଛକରେ ଟ୍ରାଫିକ୍‌ ଡ୍ୟୁଟିି କରୁଥିଲେ। ଏହି ସମୟରେ ଭୁଲ ରାସ୍ତାରେ ଆସୁଥିବା ଓଡି-୧୩-ବି-୯୨୨୨ ନମ୍ବର ଅଟୋକୁ ଏସ୍‌ଆଇ ଜେନା ଅଟକାଇବା ସହ ଅଟୋ ଚାଳକକୁ ଉକ୍ତ ରାସ୍ତାରେ ଯିବା ପାଇଁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଟୋ ଚାଳକ ପ୍ରଭାତ ଏସ୍‌ଆଇ ଜେନାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଘଟଣାସ୍ଥଳରୁ ଖସି ଚାଲିଯାଇଥିଲା। ଫଳରେ ଏସ୍‌ଆଇ ଜେନା ଅନ୍ୟ ଏକ ଅଟୋରେ ପ୍ରଭାତକୁ ପିଛା କରି ତାକୁ ଧରିବା ସହ ସମୁଦ୍ରକୂଳ ଥାନା ଜିମା ଦେଇଥିଲେ। ଏସ୍‌ଆଇ ଜେନାଙ୍କ ଅଭିଯୋଗ କ୍ରମେ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା ରୁଜୁ କରି ପ୍ରଭାତକୁ ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର